କୋଭିଡ କଟକଣା କୋହଳ କଲେ କେଜ୍ରିୱାଲ ସରକାର : ହଟିଲା ସପ୍ତାହାନ୍ତ କର୍ଫ୍ୟୁ, ୫୦% କ୍ଷମତାରେ ସିନେମା ହଲ ଖୋଲିବାକୁ ଅନୁମତି

ରାତି ୧୦ଟାରୁ ସକାଳ ୫ଯାଏଁ ବଳବତର ରହିବ ନାଇଟ କର୍ଫ୍ୟୁ

51

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ତଳମୁହାଁ ରହିଛି । ଗୁରୁବାର ଦିଲ୍ଲୀରେ ୪ ହଜାର ୨୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୪ ଜଣ ପ୍ରାଣ ହରାଇଛନ୍ତି । ୨୬ ଦିନ ପରେ ଦିଲ୍ଲୀରେ ୫ ହଜାର କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ୨୬ ଦିନ ପୂର୍ବରୁ ଦିଲ୍ଲୀରେ ୯ ହଜାର ୩୯୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଦିଲ୍ଲୀରେ ୩୩ ହଜାର ୧୭୫ ସଂକ୍ରମିତ ସକ୍ରିୟ ରହିଥିବା ବେଳେ ପଜିଟିଭିଟି ହାର ୯.୫୬ ପ୍ରତିଶତ ରହିଛି ।

ଜାନୁଆରୀ ୪ରେ ଦିଲ୍ଲୀରେ ୫ ହଜାର ୪୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭିଟି ହାର ୮.୩୭ ପ୍ରତିଶତ ଥିଲା । ଦିଲ୍ଲୀରେ ଜାନୁଆରୀ ୧୩ରେ ୧୮ ହଜାର ୮୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଦିଲ୍ଲୀରେ କୋଭିଡ କଟକଣା ଲାଗୁ ହୋଇଥିଲା । ଏବେ ସଂକ୍ରମଣ କମିବା ପରେ ସରକାର କଟକଣା କୋହଳ କରୁଛନ୍ତି । ଗୁରୁବାର ଉପ ରାଜ୍ୟପାଳ ଅନୀଲ ବାଇଜଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ବୈଠକ ପରେ କଟକଣା କୋହଳ ଉପରେ ନିଷ୍ପତି ନିଆଯାଇଛି । ଆସନ୍ତା ବୈଠକରେ ସ୍କୁଲ ଖୋଲିବା ଉପରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଆଧାରରେ ଆଉ ଦୋକାନ ବଜାର ଖୋଲା ହେବନି । ସରକାର ସାପ୍ତାହିକ କର୍ଫ୍ୟୁ ହଟାଇଛନ୍ତି । ରାତି ୧୦ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ଚାଲିପାରିବ । ୫୦ ପ୍ରତିଶତ କ୍ଷମତା ସହିତ ସିନେମା ହଲ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଛନ୍ତି ସରକାର । ସେହିପରି ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ ।