କନକ ବ୍ୟୁରୋ : ଦିଲ୍ଲୀରେ ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଛି । ୨୪ଘଂଟାରେ ୧୭ ହଜାରରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ୍ ୧୭ ଦଶମିକ ୭୩ ପ୍ରତିଶତ ଟପି ଯାଇଛି । ଅର୍ଥାତ ଶହେ ଜଣ ଟେଷ୍ଟ କଲେ ୧୮ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଆଜିଠୁ ଦିଲ୍ଳୀରେ ସପ୍ତାହନ୍ତ ସଟଡାଉନ ଲାଗୁ ହୋଇଛି । ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।
ତେବେ ରାସନ ଓ ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ଏହି ସମୟରେ କେହି ଘରୁ ବାହାରିବାକୁ ମନା କରାଯାଇଛି । କିନ୍ତୁ ଜରୁରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଚଳପ୍ରଚଳ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ସେମାନଙ୍କ ପରିଚୟ ପତ୍ର ଦେଖାଇବାକୁ ପଡିବ । ସେହିପରି ଯେଉଁମାନେ ରେଳ ବା ବିମାନରେ ଯାତ୍ରା ପାଇଁ ଯାଉଥିବେ ସେମାନଙ୍କୁ ଟିକେଟ୍ ଦେଖାଇବାକୁ ପଡିବ । ଦିଲ୍ଲୀରେ ପୂର୍ବରୁ ନାଇଟ କର୍ଫ୍ୟୁ ଲାଗୁ ହୋଇ ସାରିଛି । କେବଳ ଲକଡାଉନକୁ ଛାଡି ପ୍ରାୟ ସମସ୍ତ କଟକଣା ଲାଗି ସାରିଛି ।