ରାତିପାହିଲେ ଆସିବ ଦିଲ୍ଲୀ ରେଜଲ୍ଟ । ସକାଳୁ ୮ଟାରୁ ଆରମ୍ଭ ହେବ ମତଗଣନା, ପ୍ରଥମେ ଗଣାଯିବ ପୋଷ୍ଟାଲ ବ୍ୟାଲେଟ୍ । 

82

କନକ ବ୍ୟୁରୋ : ଆସନ୍ତାକାଲି ଆସିବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି । ବୁଥ ବାହୁଡା ମତ ବା ଏକଜିଟ ପୋଲର ଆକଳନ ଅନୁସାରେ ଦିଲ୍ଲୀରେ ଆପ ବା କେଜ୍ରିୱାଲ ପୁଣି କ୍ଷମତାକୁ ଫେରିବେ ବୋଲି କୁହାଯାଉଥିଲେ ବି ବିଜେପି ପକ୍ଷରୁ ଏକଜିଟ ପୋଲର ଆକଳନ ଭୁଲ ସାବ୍ୟସ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରାଯାଇଛି ।

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର କହିବା ମୁତାବକ ସକାଳ ୮ଟାରେ ମତଗଣନା ଆରମ୍ଭ କରାଯିବ । ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣନା କରାଯିବାକୁ ଥିବାବେଳେ ୯ ଘଟିକାରୁ ୭୦ଟି ଆସନରେ କିଏ ଆଗୁଆ ଅଛନ୍ତି ଜଣାପଡିବ । ୨୭ଟି ମତଗଣନା କେନ୍ଦ୍ରରେ ଗଣନା ହେବାକୁ ଥିବାବେଳେ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୮ ତାରିଖରେ ସମସ୍ତ ୭୦ ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲା । ସମୁଦାୟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି । ଦିଲ୍ଲୀରେ ୧.୪୭ କୋଟି ଭୋଟର୍‌ ଥିବା ବେଳେ ଏଥର ନିର୍ବାଚନରେ ୬୧ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ।