ଦିଲ୍ଲୀ ହିଂସା : ଛାତ ଉପରୁ ମିଳିଲା ପେଟ୍ରୋଲ୍ ବୋମା , ଇଟା , ପଥର , ବନ୍ଧୁକ ! ଫସିଲେ ଆପ୍ କାଉନସିଲର୍ ତାହିର୍ ହୁସେନ୍

814

ଦିଲ୍ଲୀ ଉତ୍ତର-ପୂର୍ବ ହିଂସାକୁ ଉସକାଇବାରେ ଆପ୍ କାଉନସିଲର୍ ତାହିର୍ ହୁସେନଙ୍କ ହାତ ଥିଲା? ଏହାକୁ ନେଇ ଏବେ ଚର୍ଚ୍ଚା , ବିତର୍କ ଆରମ୍ଭ ହୋଇଯାଇଛି । ଏବେ ତାଙ୍କ ଘରୁ ଆସିଥିବା କିଛି ଫଟୋ ସନ୍ଦେହକୁ ଆହୁରି ଗଭୀର କରିଦେଉଛି । ତାହିରଙ୍କ ଘରୁ ପେଟ୍ରୋଲ୍ ବୋମା , ବନ୍ଧୁକ ଏବଂ ଟ୍ରେରେ ଭର୍ତ୍ତି ଥିବା ପଥର ଜବତ କରାଯାଇଛି । ଏହି ଘରୁ ପୂର୍ବରୁ ମଧ୍ୟ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେଠାରୁ ପଥର ଏବଂ ପେଟ୍ରୋଲ୍ ବୋମା ଫୋପଡାଯିବାର ଦେଖାଯାଇଥିଲା । ଆଇବି ଷ୍ଟାଫ୍ ଅଙ୍କିତ୍ ଶର୍ମାଙ୍କ ହତ୍ୟା ପଛରେ ପରିବାର ଏହି ଛାତଉପରୁ ପେଟ୍ରୋଲ୍ ବୋମା ଫୋପଡା ଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାରେ ଆପ୍ କାଉନସିଲର୍ ତାହିର୍ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି ।

ବର୍ତ୍ତମାନ ମାମଲାରେ ସ୍ଥିରତା ଆସୁଥିବା ଦେଖି କିଛି ଗଣମାଧ୍ୟମ କର୍ମୀ ଉକ୍ତ ଘରର ଛାତ ଉପରକୁ ଯାଇଥିଲେ । ଯେଉଁଠାରେ ଛାତ ଉପରେ ପଥର , ପେଟ୍ରୋଲ୍ ବୋମା , ବ୍ୟାଗ୍ ରେ କିଛି ବଡ଼ ବଡ଼ ପଥର , ବନ୍ଧୁକ ଦେଖିବାକୁ ମିଳିଥିଲା । ଏହି ମାମଲାରେ ତାହିର କୁହନ୍ତି ହିଂସା ଚାଲିଥିବା ସମୟରେ ସେ ଘରେ ଉପସ୍ଥିତ ନଥିଲେ । ତାଙ୍କ ଘର ଛାତ ଉପରୁ କିଏ ବୋମା ପକାଉଥିଲା ସେ ଏ ବିଷୟରେ କିଛି ଜାଣିନାହାନ୍ତି ।

ସେ କହିଥିଲେ ଯେ ତାଙ୍କ ସାମ୍ନା ଘର ଛାତ ଉପରୁ ମଧ୍ୟ ବୋମା ଫୋପଡା ଯାଉଥିଲା । ଆପଣଙ୍କୁ କହିରଖୁଛୁ , ହିଂସାରେ ଉକ୍ତ ଅଞ୍ଚଳରେ ରହୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଅଫିସର୍ ଅଙ୍କିତ ଶର୍ମା (୨୬) ଙ୍କ ହତ୍ୟା ହୋଇଯାଇଥିଲା । ପରିବାରର କହିବାନୁସାରେ , ତାହିର୍ ହୁସେନଙ୍କ ଛାତ ଉପରେ ଉପସ୍ଥିତ ଥିବା ଲୋକମାନେ ଅଙ୍କିତ୍ ଙ୍କୁ ଘରୁ ଭିଡି ବାହାରକୁ ନେଇଥିଲେ ଏବଂ ସେମାନେ ହିଁ ତାଙ୍କ ହତ୍ୟା କରିଛନ୍ତି । ତେବେ କହିରଖୁଛୁ ଘର ପାଖରେ ଥିବା ଏକ ନାଳରୁ ଅଙ୍କିତଙ୍କ ଶବ ମିଳିଥିଲା ।