ଦିଲ୍ଲୀରେ ଜଳୁଛି ନାଗରିକତା ଆଇନ ନିଆଁ : ସକାଳୁ ସକାଳୁ ୫ଟି ବାଇକରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଅଗ୍ନିଶମବାହିନୀ କର୍ମଚାରୀଙ୍କୁ ବି ଆକ୍ରମଣ , ୫ ମେଟ୍ରୋ ଷ୍ଟେସନ ବନ୍ଦ

510

ଦିଲ୍ଲୀରେ ଜଳୁଛି ନାଗରିକତା ଆଇନ ନିଆଁ । ସକାଳୁ ସକାଳୁ ଉତର ପୂର୍ବ ଦିଲ୍ଲୀର ମୌଜାପୁର, ଗୋକୁଳପୁରୀ ଅଂଚଳରେ ପୁଣି ୫ଟି ବାଇକରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଏପରିକି ନିଆଁ ଲିଭାଉଥିବା ଅଗ୍ନିଶମବାହିନୀ କର୍ମଚାରୀଙ୍କୁ ବି ଆକ୍ରମଣ ହୋଇଛି । ପରିସ୍ଥିତିକୁ ନଜରରେ ରଖି ୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଛି ପ୍ରଶାସନ ।

ଏହା ସହିତ ହିଂସା ଘଟିଥିବା ଅଂଚଳରେ ୧୪୪ ଧାରା ଜାରି କରାଯାଇଛି ଏବଂ ସ୍କୁଲ ଓ କଲେଜକୁ ବନ୍ଦ୍ ରଖାଯାଇଛି । ଗତକାଲି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ସଂଘର୍ଷରେ ୫ଜଣଙ୍କର ଜୀବନ ଯାଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ମୃତକଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀଙ୍କ ସମେତ ୪ ଜଣ ସାଧାରଣ ନାଗରିକ ରହିଛନ୍ତି ।

ଗତକାଲି ଦିଲ୍ଳୀର ଜାଫରାବାଗଠାରୁ ଚାନ୍ଦବାଗ ଓ କରୱାଲ ନଗର ଅଂଚଳରେ ନାଗରିକତା ସଂଶୋଧନ ଆଇନ ବିପକ୍ଷବାଦୀ ଓ ସପକ୍ଷବାଦୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରେ ସ୍ଥିତି ବିଗିଡିବାକୁ ଲାଗିଥିଲା ଏବଂ ଉଭୟଗୋଷ୍ଠୀ ପରସ୍ପର ଉପରେ ଟେକା, ପଥର ମାଡ କରିଥିଲେ । ଏହି ସମୟରେ ଗୁଳି ଚାଳନା ମଧ୍ୟ ହୋଇଥିବା ଜଣାପଡିଛି । ଏପରିକି ପୋଲିସ ଉପରକୁ ପଥର ମାଡ କରିବା ସହ ୧୦ଟି ଗାଡିରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ । ୩ ରୁ ୪ଘଂଟା ଧରି ଏଭଳି ପରିସ୍ଥିିତି ଲାଗି ରହିଥିଲା । ସ୍ଥିତିର ସମୀକ୍ଷା କରିବା ସହ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ପୋଲିସ ଓ ଦିଲ୍ଲୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ଏହାସହ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଦିଲ୍ଲୀର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଜରୁରି ବୈଠକ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତବେଳେ ଏଭଳି ହିଂସାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏହା ପ୍ରାୟୋଜିତ ହିଂସା ଏବଂ ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରାଯାଇଥିବା ସ୍ୱରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।