ସିଏଏ ଆନ୍ଦୋଳନର ସାଂଘାତିକ ରୂପ ! ନାଗରିକତା ଆଇନକୁ ନେଇ ଜଳୁଛି ଦିଲ୍ଲୀ । ୭ ମୃତ , ୧୦୦ରୁ ଅଧିକ ଆହତ । ୫ଟି ମେଟ୍ରୋ ଷ୍ଟେସନ ବନ୍ଦ, ସମସ୍ତ ସ୍କୁଲ, କଲେଜ ବନ୍ଦ

ଦିଲ୍ଲୀରେ ଜଳିଲା ନାଗରିକତା ଆଇନର ନିଆଁ । ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ଜଣେ ପୁଲିସ କନେଷ୍ଟବଳ ସହ ୫ ମୃତ, ୫୦ରୁ ଅଧିକ ଆହତ

କନକ ବ୍ୟୁରୋ: ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହେବା ପରେ ସଂଘଠିତ ଭୟଙ୍କର ସଂଘର୍ଷରେ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏଥିରେ ଗତକାଲି ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳ ରତନ ଲାଲଙ୍କର ମୃତ୍ୟୁ ହୋଇଥିଲା।

ଆଜି ସକାଳେ ମୌଜପୁର ଏବଂ ବ୍ରହ୍ମାପୁରୀ ଅଞ୍ଚଳରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପଥର ମାଡ଼ ଚାଲିଥିଲା। ଠିକ୍ ସେହିପରି ଉତ୍ତରପୂର୍ବ ଦିଲ୍ଲୀର ମୌଜାପୁର, ଗୋକୁଳପୁରୀ ଅଞ୍ଚଳରେ ପୁଣି ୫ଟି ବାଇକରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏପରିକି ନିଆଁ ଲିଭାଉଥିବା ଅଗ୍ନିଶମବାହିନୀ କର୍ମଚାରୀଙ୍କୁ ବି ଆକ୍ରମଣ ହୋଇଥିବା ଜଣାଯାଇଛି । ପରିସ୍ଥିତିକୁ ନଜରରେ ରଖି ୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଛି ପ୍ରଶାସନ । ଏହାଛଡ଼ା ଉତ୍ତରପୂର୍ବ ଜିଲ୍ଲାରେ ମାସକ ଲାଗି ୧୪୪ ଧାରା ଜାରି କରାଯାଇଛି ଏବଂ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରିଦିଆଯାଇଛି।

ଗତକାଲି ଦିଲ୍ଳୀର ଜାଫରାବାଗଠାରୁ ଚାନ୍ଦବାଗ ଓ କରୱାଲ ନଗର ଅଂଚଳରେ ନାଗରିକତା ସଂଶୋଧନ ଆଇନ ବିପକ୍ଷବାଦୀ ଓ ସପକ୍ଷବାଦୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରେ ସ୍ଥିତି ବିଗିଡିବାକୁ ଲାଗିଥିଲା ଏବଂ ଉଭୟଗୋଷ୍ଠୀ ପରସ୍ପର ଉପରେ ଟେକା, ପଥର ମାଡ କରିଥିଲେ । ଏହି ସମୟରେ ଗୁଳି ଚାଳନା ମଧ୍ୟ ହୋଇଥିବା ଜଣାପଡିଛି । ଏପରିକି ପୋଲିସ ଉପରକୁ ପଥର ମାଡ କରିବା ସହ ୧୦ଟି ଗାଡିରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ । ୩ରୁ ୪ଘଂଟା ଧରି ଏଭଳି ପରିସ୍ଥିିତି ଲାଗି ରହିଥିଲା । ସ୍ଥିତିର ସମୀକ୍ଷା କରିବା ସହ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ପୋଲିସ ଓ ଦିଲ୍ଲୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ଏହାସହ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଦିଲ୍ଲୀର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଜରୁରି ବୈଠକ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତବେଳେ ଏଭଳି ହିଂସାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏହା ପ୍ରାୟୋଜିତ ହିଂସା ଏବଂ ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରାଯାଇଥିବା ସ୍ୱରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe