ବାବୁ ମୋ’ ସ୍ତ୍ରୀ ପିଲାଙ୍କୁ ଦେଖିଛନ୍ତି … ଦିଲ୍ଲୀ ହିଂସାର କରୁଣ କାହାଣୀ । ସବୁ ଜାଳିଦେଲା ଦିଲ୍ଲୀ ହିଂସା , କାନ୍ଦି କାନ୍ଦି ପରିବାରକୁ ଖୋଜୁଛନ୍ତି ରିକ୍ସା ଚାଳକ ।

310

ଦିଲ୍ଲୀ ହିଂସାରେ କେତେ ନିରୀହ ଜୀବନ ଚାଲିଗଲା । କାହାର ରୋଜଗାରର ମାଧ୍ୟମ ପାଲଟିଥିବା ଦୋକାନ ଜଳିଗଲା ତ କିଏ ବର୍ଷ ବର୍ଷରୁ ସଞ୍ଚୟ କରିଥିବା ଟଙ୍କାରେ କିଣିଥିବା ଗାଡ଼ି ଜଳିଗଲା । ଏହି ହିଂସା ଅନେକ ଲୋକଙ୍କ ମୁଣ୍ଡ ଉପରୁ ଛାତକୁ ମଧ୍ୟ ଛଡାଇନେଲା । ଆତ୍ମୀୟ , ପରିବାରରୁ ଅଲଗା କରିଦେଲା ହିଂସା । ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ନ୍ୟୁ ମୁସ୍ତଫାବାଦ୍ ଅଞ୍ଚଳରେ । ମୋଇନୁଦ୍ଦିନ୍ ନାମକ ଜଣେ ରିକ୍ସା ଚାଳକ ମୁସ୍ତଫାବାଦ୍ ର ଏକ ଦୋକାନ ବାରଣ୍ଡାରେ ବସି ବାଟୋଇମାନଙ୍କୁ ନିଜ ପରିବାର ବିଷୟରେ ପଚାରୁଛି । ବାଟରେ ଯା’ଆସ କରୁଥିବା ସବୁ ଲୋକଙ୍କୁ ରିକ୍ସା ଚାଳକ ପାଗଳଙ୍କ ଭଳି ଅଟକାଉଛନ୍ତି ଏବଂ ସ୍ତ୍ରୀ ପିଲାଙ୍କ ବିଷୟରେ ପଚାରି କାନ୍ଦୁଛନ୍ତି । ହିଂସାରେ ଦୁର୍ବୃତ୍ତମାନେ ତାଙ୍କ ରିକ୍ସା ଏବଂ ଘର ଜାଳିଦେଲେ । ଚାରି ପିଲାଙ୍କ ସହ ପତ୍ନୀ ମଧ୍ୟ କେଉଁଠି ହଜିଗଲେ । ଏବେ ଘରନଥିବା କାରଣରୁ ମୋଇନୁଦ୍ଦିନ୍ ସଡ଼କ କଡ଼ରେ ରହିବାକୁ ବାଧ୍ୟ ହେଉଛନ୍ତି । ଭୋକ ମେଣ୍ଟାଇବା ପାଇଁ ସେ ଏବେ ଭିକାରୀ ମଧ୍ୟ ସାଜିଛନ୍ତି । ହିଂସା ସମୟରେ ସେ ସ୍ତ୍ରୀ ଏବଂ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଥିଲେ । ଏହାପରଠାରୁ ପରିବାରର କୌଣସି ପତ୍ତା ମିଳୁନାହିଁ ଏବଂ ପରିବାରକୁ ଅପେକ୍ଷା କରି ବସିଛନ୍ତି ମୋଇନୁଦ୍ଦିନ୍ ।

ମୋଇନୁଦ୍ଦିନ୍ ଏନେଇ ପୋଲିସ୍ କୁ ମଧ୍ୟ କହିଥିଲେ କିନ୍ତୁ ପୋଲିସ୍ ପକ୍ଷରୁ କୌଣସି ସାହାଯ୍ୟ ମିଳିନଥିଲା । ପୋଲିସ୍ କହୁଛନ୍ତି ଯେ ସ୍ଥିତି ସାମାନ୍ୟ ହେଲେ ପଦକ୍ଷେପ ନିଆଯିବ । ହିଂସା ଦିନ ୨,୦୦୦ ଟଙ୍କାର ସାମଗ୍ରୀ କିଣିଥିବା ମୋଇନୁଦ୍ଦିନ୍ କାନ୍ଦି କାନ୍ଦି କହିଛନ୍ତି ଯେ ଆଉ କିଛି ନାହିଁ । ତେବେ ମୋଇନୁଦ୍ଦିନ୍ ଙ୍କ ଏହି ଦୁଃଖରେ ତାଙ୍କର ଜଣେ ପଡୋଶୀ ତାଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି । ୨୦୧୩ ମସିହାରୁ ଜାଣିଥିବା ତାଙ୍କର ଏହି ପଡୋଶୀଙ୍କ ଦୋକାନରେ ଶୋଉଛନ୍ତି ମୋଇନୁଦ୍ଦିନ୍ । ଦିନ ସମୟରେ ବାରଣ୍ଡା ବାହାରେ ବସି ଯିବା ଆସିବା କରୁଥିବା ଲୋକଙ୍କୁ ପରିବାର ବିଷୟରେ ପଚାରି ବୁଝୁଛନ୍ତି ସେ ।