ଦିଲ୍ଲୀ ଜଳୁଛି, ଜୀବନ ଯାଉଛି… ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି ନାଗରିକତା ନିଆଁ । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି । ମାସେ ଯାଏଁ ୧୪୪ ଧାରା ଜାରି

623

କନକ ବ୍ୟୁରୋ: ଦିଲ୍ଲୀ ଜଳୁଛି, ଜୀବନ ଯାଉଛି । ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି ନାଗରିକତା ନିଆଁ । ଗତକାଲି ଦିଲ୍ଲୀ ଛାତିରେ ଜଳିଥିବା ସିଏଏ ନିଆଁ ସାଙ୍ଘାତିକ ରୂପ ଧାରଣ କରିଥିଲା । ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳୁଛି । ତେବେ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି ।

ତେବେ ଘଟଣାରେ ୯ ଜଣ ଅକାଳରେ ମୃତ୍ୟୁବରଣ କରିଥିବା ବେଳେ ୧୩୫ ଜଣ ଆହତ ହୋଇଛନ୍ତି । ଚାପା ଉତ୍ତେଜନା ସତ୍ୱେ ଆଜି ବି ବିଭିନ୍ନ ସ୍ଥାନରେ ଜାରି ରହିଛି ହିଂସା । ସେପଟେ ମାସେ ଯାଏଁ ଉକ୍ତ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଉତ୍ତେଜନା ଦୃଷ୍ଟିରୁ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି ।

ସେପଟେ ହେଡ କନଷ୍ଟେବଲଙ୍କ ମୃତ୍ୟୁ ପରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ତେବେ ହିଂସାକାଣ୍ଡ ପାଇଁ ରତନଲାଲଙ୍କ ଜୀବନ ଯାଇନି ବରଂ ଗୁଳିମାଡରୁ ଜୀବନ ଯାଇଥିବା ସୂଚନା ମିଳିଛି । ଖବର ସଂଗ୍ରହ ବେଳେ ଜଣେ ସାମ୍ବାଦିକଙ୍କ ଉପରେ ବି ଗୁଳି ବାଜିଥିବା ସୂଚନା ରହିଛି ।

ସେପଟେ ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସିଏଏ ବିରୋଧୀ ଏବଂ ସପକ୍ଷବାଦୀ ମଧ୍ୟରେ ଦିଲ୍ଲୀ ମୌଜପୁର, ଗୋକୁଳପୁରୀ ଅଂଚଳରେ ଲାଗି ରହିଛି ହିଂସା । ଯାହାର ପ୍ରଭାବ ଆଜି ମଧ୍ୟ ଦେଖିବାକୁ ମିଳିଛି । ମୌଜାପୁର, ଗୋକୁଳପୁରୀ ଅଂଚଳରେ ପୁଣି ୫ଟି ବାଇକରେ ନିଆଁ ଲଗାଇଦେଇଛନ୍ତି ଦୁବୃର୍ତ । ଏପରିକି ନିଆଁ ଲିଭାଉଥିବା ଅଗ୍ନିଶମବାହିନୀ କର୍ମଚାରୀଙ୍କୁ ବି ଆକ୍ରମଣ ହୋଇଛି । ପରିସ୍ଥିତିକୁ ନଜରରେ ରଖି ୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଛି ପ୍ରଶାସନ ।