ଦିଲ୍ଲୀରେ ଭୟଙ୍କର ହେଉଛି ହିଂସାକାଣ୍ଡ । ନାଗରିକତା ନିଆଁରେ ଗଲା ୧୩ ଜୀବନ । ପରିସ୍ଥିତି ଅସମ୍ଭାଳ ହେବାରୁ ହିଂସାକାରୀଙ୍କୁ ଗୁଳି ନିର୍ଦ୍ଦେଶ । ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲା ଦିଲ୍ଲୀ ପୋଲିସ ।

473

କନକ ବ୍ୟୁରୋ: ଦିଲ୍ଲୀ ଜଳୁଛି, ଚିନ୍ତା ବଢୁଛି । ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି । ସ୍ଥିତି ଏମିତି ହୋଇଛି ଯେ ଚାରିଆଡେ ନିଆଁ ଜଳୁଛି, ଭଙ୍ଗାରୁଜା ହେଉଛି । ଆଉ ସାଧାରଣ ଲୋକଙ୍କୁ ରାସ୍ତା ମଝିରେ ଗୋଡେଇ ଗୋଡେଇ ଆକ୍ରମଣ କରୁଛନ୍ତି ଆନ୍ଦୋଳନକାରୀ । ତେବେ ଭୟାନକ ହିଂସାକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ତେବେ ୧୩ ଜଣ ଆଖିବୁଜିବା ପରେ ବି ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ସେପଟେ ପରିସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଏହାକୁ ରୋକିବାକୁ ଦିଲ୍ଲୀ ପୋଲିସ ବଡ ପଦକ୍ଷେପ ନେଇଛି । ହିଂସା ପ୍ରଭାବିତ ଅଞ୍ଚଳରେ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଫ୍ଲାଗମାର୍ଚ୍ଚ କରୁଛନ୍ତି । ଏ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ଏଥିସହ ହିଂସାକାରୀଙ୍କୁ ଦେଖିଲା ମାତ୍ରେ ଘଟଣାସ୍ଥଳରେ ଗୁଳି କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି ।

ସେପଟେ ଦିଲ୍ଲୀର ଚାନ୍ଦବାଗ, ମୌଜପୁର ଇଲାକାରେ ସ୍ଥିତି ଏବେ ବି ଉତ୍ତେଜନାପ୍ରବଣ ରହିଛି । ପରିସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଆସନ୍ତା କାଲି ପାଇଁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ଏହା ସହିତ ଇଣ୍ଟରନାଲ ପରୀକ୍ଷା ଗୁଡ଼ିକୁ ବାତିଲ କରାଯାଇଛି । ଏହି ହିଂସା ବିରୁଦ୍ଧରେ ଆଗତ ଏକ ମାମଲାର ଶୁଣାଣି ଆସନ୍ତା କାଲି ସୁପ୍ରିମକୋର୍ଟରେ ହେବ । ପୂର୍ବତନ ମୁଖ୍ୟ ସୂଚନା ଅଧିକାରୀ ଓ୍ଵାଜତ ହବିବୁଲ୍ଲାଙ୍କ ଦ୍ୱାରା ଏହି ମାମଲା ଦାଏର କରାଯାଇଛି । ଅନ୍ୟପକ୍ଷରେ ଏହି ହିଂସାର ଏସଆଇଟି ତଦନ୍ତ ଓ ସେନାକୁ ଡାକିବା ପାଇଁ ଏକ ମାମଲା ଦିଲ୍ଲୀ ହାଇକୋର୍ଟରେ ଦାଏର ହୋଇଛି ।