ବିନା ଅନୁମତିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ ପଡିବ କି ମହଙ୍ଗା, ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

193

କନକ ବ୍ୟୁରୋ : ଦିଲ୍ଲୀ ୟୁନିଭରସିଟି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଯିବ । ବିନା କୈାଣସି ସୂଚନା କିମ୍ବା ଅନୁମତିରେ କ୍ୟାମ୍ପସରେ ହଠାତ ରାହୁଲ ଗାନ୍ଧୀଙ୍କ ପରିଦର୍ଶନକୁ ନେଇ ଦିଲ୍ଲୀ ୟୁନିଭର୍ସିଟି ରାହୁଲଙ୍କୁ ନୋଟିସ ପଠାଇବାକୁ ନିଷ୍ପତି ନେଇଛି । ଏହି ନୋଟିସରେ ତାଙ୍କୁ ଏପରି ପୁର୍ନବାର ନ କରାଯିବାକୁ କୁହାଯିବ । ଯେପରି ସେ ଆଗକୁ ଏପରି ନ କରନ୍ତି ଏଥିପାଇଁ ହେବ ନୋଟିସ । ତେବେ ଗତ ସପ୍ତାହ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ୟୁନିଭର୍ସିଟି ପରିସର ବୁଲିବା ସହ ହଷ୍ଟେଲ କ୍ୟାଂଟିନରେ ଛାତ୍ରଙ୍କ ସହ ମିଶି ଖାଇଥିଲେ । ଏହା ସହ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଯାହାର ଫଟୋ ଭାଇରାଲ ହେଉଛି । ଏହା ପରେ ଦିଲ୍ଲୀ ୟୁନିଭସିଟି ପ୍ରଶାସନର ବୟାନ ସାମ୍ନାକୁ ଆସିଛି । ୟୁନିଭର୍ସିଟିର କୁଳସଚିବ ବିକାଶ ଗୁପ୍ତା କହିଛନ୍ତି ,କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏପରି ପରିଦର୍ଶନ ଛାତ୍ରଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ଏବଂ ଏପରି କିଛି ସାକ୍ଷାତକାର ପାଇଁ ଉପଯୁକ୍ତ ପ୍ରୋଟୋକଲ ପାଳନ କରିବା ଜରୁରୀ । ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁନିଭର୍ସିଟି ପ୍ରଶାସନ ଉପରେ ଚାପ ପକାଯାଇଥିବା କଂଗ୍ରେସକୁ ସମର୍ଥନ କରୁଥିବା କିଛି ଛାତ୍ର କହିଛନ୍ତି । ଏହାକୁ ଖଣ୍ଡନ କରିଛନ୍ତି ୟୁନିଭର୍ସିଟିର କୁଳସଚିବ ବିକାଶ ଗୁପ୍ତା ।