ଶାହିନବାଗ ମତଦାନ କେନ୍ଦ୍ରରେ ଲାଗିଛି ଲମ୍ବା ଲାଇନ । ତୁଗଲକ କ୍ରେସେଂଟ ବୁଥରେ ଭୋଟ ଦେଲେ ବିଦେଶ ମନ୍ତ୍ରୀ । କପିଲ ମିଶ୍ରା ଓ ମନୀଷ ସିସୋଦିୟା ବି ଦେଲେ ଭୋଟ୍

ନଟିୟାଲାରେ ମତସାବ୍ୟସ୍ତ କଲେ ବିଜେପି ସାଂସଦ ପ୍ରବେଶ ବର୍ମା

135

କନକ ବ୍ୟୁରୋ: ଦିଲ୍ଲୀର ସାହିନବାଗରେ ସକାଳୁ ସକାଳୁ ମତଦାନ କେନ୍ଦ୍ରଗୁଡିକ ଆଗରେ ଲମ୍ବାଧାଡିରେ ଆସି ଭୋଟର ମତଦାନ କରୁଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର ତୁଗଲକ କ୍ରେସେଂଟ ବୁଥକୁ ଆସି ଭୋଟ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ସମସ୍ତ ନାଗରିକ ନିଜ କର୍ତବ୍ୟ ଭାବେ ବହୁମୂଲ୍ୟ ଭୋଟ ଦେବା ଉଚିତ୍ । ଗଣତନ୍ତ୍ରର ଏହି ଉତ୍ସବରେ ସମସ୍ତେ ସାମିଲ ହେବା ଉଚିତ ବୋଲି କହିଛନ୍ତି ଏସ ଜୟଶଙ୍କର । ସେହିପରି ଦିଲ୍ଲୀର ବିଜେପି ସାଂସଦ ତଥା ପ୍ରଚାର ବେଳେ ବୟାନକୁ ନେଇ ଚର୍ଚ୍ଚାରେ ଥିବା ପ୍ରବେଶ ବର୍ମା ନଟିୟାଲା ପୁଲିଂ ବୁଥରେ ମତଦାନ କରିଛନ୍ତି । ସ୍ତ୍ରୀ ସହ ମତଦାନ କେନ୍ଦ୍ରକୁ ଆସି ମତସାବ୍ୟସ୍ତ କରିଛନ୍ତି ବିଜେପି ସାଂସଦ ପ୍ରବେଶ ଶର୍ମା ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ବୁଥ ମୁହାଁ ହେଉଛନ୍ତି ଭୋଟର, ଧିରେ ଧିରେ ମତଦାନ କେନ୍ଦ୍ର ଆଗରେ ଜମୁଛି ଗହଳି । ଲୋକେ ଧାଡିରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ମୋଟ୍ ୧ କୋଟି ୪୭ ଲକ୍ଷ ଭୋଟର ୧୩ ହଜାର ୭୫୦ ପୁଲିଂ ବୁଥରେ ମତଦାନ କରିବେ । ୭୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଦିଲ୍ଲୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଦାୟିତ୍ୱରେ ପ୍ରାୟ ୭୫ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଦିଲ୍ଲୀ ପୋଲିସର କେବଳ ୪୦ ହଜାର ପୋଲିସ ମୁତୟନ କରାଯାଇଛି । ସେପଟେ ମତଦାନ ପାଇଁ ବଡ ବ୍ୟବସ୍ଥା କରାଯାଇଛି । ରାତି ୪ ଟାରୁ ମେଟ୍ରୋ ଟ୍ରେନ ଗଡିଛି । ସେହିପରି ୬ ତାରିଖରୁ ଆସନ୍ତା ୯ ତାରିଖ ଯାଏଁ ମଦ ଦୋକାନ ବନ୍ଦ ରଖିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ନିର୍ବାଚନକୁ ନଜରରେ ରଖି ୫୦ଦିନ ଧରି ଆନ୍ଦୋଳନ ଚାଲିଥିବା ସାହିନ ବାଗ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଦିଲ୍ଲୀରେ ବିଶେଷ କରି ଏଥର ତ୍ରିମୁଖୀ ଲଢେଇ ହେଉଛି । ୨୦ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ଦୂରରେ ଥିବା ବିଜେପି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି । ସେପଟେ ୫ବର୍ଷ ଶାସନର ଉପଲବ୍ଧିକୁ ଆଧାର କରି କ୍ଷମତା ବଜାୟ ରଖିବାକୁ କସରତ କରୁଛନ୍ତି ଆପ ମୁଖ୍ୟ । ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଓ ବିଜେପିକୁ ଚକମା ଦେବାକୁ ଯୋଜନା କରୁଛି କଂଗ୍ରେସ । ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସକୁ ହରାଇ ନୂଆ ଦିଲ୍ଳୀରେ କ୍ଷମତାକୁ ଆସିବା ପରଠାରୁ ଦଳର ଜୟ ଯାତ୍ରା ଜାରି ରହିଛି । ସେପଟେ ନିର୍ବାଚନ ଆଗରୁ ମନ୍ଦିର ବୁଲି ହନୁମାନଙ୍କ ପୂଜା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମନୋଜ ତିୱାରୀ ମଧ୍ୟ ଛତରପୁର ଓ କାଲକାଜୀ କାଳୀ ମନ୍ଦିର ଯାଇ ପୂଜାର୍ଚନା କରିଛନ୍ତି ।