ଥଣ୍ଡାରେ ଥରୁଛି ଉତ୍ତର ଭାରତ । ନୂଆ ବର୍ଷରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଶୀତ । ଦିନର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ରେକର୍ଡ ।

184

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଦିଲ୍ଲୀରେ ଜାନୁୟାରୀ ପହିଲାରେ ୧୫ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ସର୍ବନିମ୍ନ ତାପମାତ୍ରା ୧ଦଶମିକ ୧ଡିଗ୍ରୀ ରେକର୍ଡ କରାଯାଇଛି ।

ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହରି । ଜାଡରେ ଥରୁଛି ସାରା ଉତର ଭାରତ । ଦେଶର ରାଜଧାନୀ ଦିଲ୍ଲୀରେ ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଛାଇ ରହିଥିବା ଦେଖିବାକୁ ମିଳିଛି । ଦିନ ୧୧ଟା ସୁଦ୍ଧା ମଧ୍ୟ ଏପରି ଘନ କୁହୁଡି ରହିଥିଲା । ଏପରିକି ଗତ ୧୫ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷର ପ୍ରଥମ ଦିନର ଥଣ୍ଡା । ଶୁକ୍ରବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧.୧ଡିଗ୍ରୀ ରେକର୍ଡ କରାଯାଇଛି ।

ଘନ କୁହୁଡି କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି । ଅର୍ଥାତ୍ ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହଁ । ଦିଲ୍ଲୀର ଆଇଟିଓ ଏବଂ ଏନସିଆର ପରି ଅଂଚଳରେ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଏଥିପାଇଁ ଗମନାଗମନ ପ୍ରଭାବିତ ହୋଇଛି । ରାସ୍ତା ଘାଟ କୁହୁଡ଼ିରେ ଭର୍ତି ହୋଇ ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । କିଏ ନିଆଁ ଜାଳି ତ ଆଉ କିଏ ବ୍ୟାୟାମ କରି ଶୀତର ମୁକାବିଲା କରୁଛନ୍ତି ।

ପଂଜାବ, ହରିଆଣା, ଦିଲ୍ଲୀ, ଉତରପ୍ରଦେଶ, ରାଜସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେଉଛି । ସେପଟେ ଉତରପ୍ରଦେଶରେ ମଧ୍ୟ ଶୀତଲହରି ଜାରି ରହିଛି । ଆଗାମୀ ୩,୪ ଓ ୫ତାରିଖରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ପାହାଡିଆ ରାଜ୍ୟ ହିମାଚଳ ପ୍ରଦେଶ, ଉତରାଖଣ୍ଡ ଓ ଜମ୍ମୁକଶ୍ମୀରରେ ମଧ୍ୟ ଜାଡ ଅନୁଭୁତ ହେଉଛି । ଜାନୁୟାରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହ ବରଫ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।