ଡିଡିଏମଏ ବୈଠକରେ ନିଷ୍ପତ୍ତି, ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରେ ଖୋଲିବ ସ୍କୁଲ

115

କନକ ବ୍ୟୁରୋ : ଦିଲ୍ଲୀରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ । ସୂଚନା ମୁତାବକ ଡିଡିଏମଏ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ସେପ୍ଟେମ୍ବର ୧ରୁ ୯ମ ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ ଓ ସେପ୍ଟେମ୍ବର ୮ ତାରିଖରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଦିଲ୍ଲୀରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଆଜି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି (ଡିଡିଏମଏ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା କମିଟି ଏଭଳି ନିଷ୍ପତ୍ତି ନେଇଛି ।

ଏହା ପୂର୍ବରୁ ଡିଡିଏମଏ ତରଫରୁ ସରକାରଙ୍କୁ ଏକ ରିପୋର୍ଟ ଦିଆଯାଇଥିଲା । ଯେଉଁଥିରେ ସ୍କୁଲଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ସୁପାରିଶ କରାଯାଇଥିଲା । ଏହି କମିଟି ୫୦ ପ୍ରତିଶତ କ୍ଷମତା ସହିତ ସ୍କୁଲ ଖୋଲିବା ନେଇ ପରାମର୍ଶ ଦେଇଥିଲା । ଏହାସହ ସ୍କୁଲରେ କରୋନା କଟକଣା ସଠିକ ଢଙ୍ଗରେ ପାଳନ କରାଯିବା ନେଇ ବି ପରାମର୍ଶ ଦିଆଯାଇଥିଲା ।

ଅନ୍ୟପଟେ ଏବେ ଦିଲ୍ଲୀରେ କରୋନା ସଂକ୍ରମଣ ଏକପ୍ରକାର ହ୍ରାସ ପାଇଛି । ଲଗାତର ୬ ଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମଣରେ କୌଣସି ଲୋକ ମରି ନାହାନ୍ତି । ଏ ସବୁକୁ ନଜରରେ ରଖି ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ହେଲେ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲକୁ ସାନିଟାଇଜ କରିବା, ଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଛି ।