ପ୍ରଥମେ ହତ୍ୟା ତା’ପରେ ଆତ୍ମହତ୍ୟା : ମହିଳା ଏସଆଇଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି କଲେ ସହକର୍ମୀ । ହତ୍ୟା କାରଣ ଅସ୍ପଷ୍ଟ

266

ନିଜ ମହିଳା ସହକର୍ମୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବ ପୁଲିସ ସବ୍-ଇନ୍ସପେକ୍ଟର । ଉତ୍ତର-ପଶ୍ଚିମ ଦିଲ୍ଲୀର ରୋହିଣୀସ୍ଥିତ ମେଟ୍ରୋ ରେଳ ଷ୍ଟେସନ୍ ଅଞ୍ଚଳରେ ଦିଲ୍ଲୀ ପୁଲିସର ସବ୍-ଇନ୍ସପେକ୍ଟର ପ୍ରୀତି ଅହଲାୱତଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି ସହକର୍ମୀ ସବ୍-ଇନ୍ସପେକ୍ଟର ଦୀପାଂଶୁ ରଥି । ପ୍ରୀତି ଷ୍ଟେସନ୍ ରୁ ବାହାରୁଥିବାବେଳେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଦୀପାଂଶୁ ତିନୋଟି ଗୁଳି ମାରିଥିଲେ ଓ ଘଟଣାସ୍ଥଳରେ ହିଁ ପ୍ରିତୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ପ୍ରୀତିଙ୍କୁ ମାରିବା ପରେ ଦୀପାଂଶୁ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ୨୦୧୮ ରେ ମହିଳା ସବ ଇନ୍ସପେକ୍ଟର ପ୍ରୀତି ଅହଲାୱତ ଓ ଦୀପାଂଶୁ ଦିଲ୍ଲୀ ପୋଲିସରେ ଯୋଗଦେଇଥିଲେ । ଦୁଇଜଣ ଗୋଟିଏ ବ୍ୟାଚ୍ ରେ ଥିଲେ । କିନ୍ତୁ କଣ ପାଇଁ ପ୍ରୀତିଙ୍କୁ ଦୀପାଂଶୁ ହତ୍ୟା କଲେ ଏହାର ସୂଚନା ମିଳିନାହିଁ । ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଶୁକ୍ରବାର ରାତି ୯.୩୦ ସମୟରେ ରୋହିଣୀ ଇଷ୍ଟ ମେଟ୍ରୋ ଷ୍ଟେସନ ନିକଟରେ ମହିଳା ସବ ଇନ୍ସପେକ୍ଟର ପ୍ରୀତି ଅହଲାୱତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପିଏସ୍ ଆଇ ଦୀପାଂଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଦିଲ୍ଲୀ ପଟପଡଗଞ୍ଜ ଶିଳ୍ପାଞ୍ଚଳ ପୋଲିସ ଥାନାରେ ମୁତୟନ ଏସଆଇ ଭାବେ କାର୍ଯ୍ୟ କରୁଥିଲେ ପ୍ରୀତି । ମହିଳା ସବ ଇନ୍ସପେକ୍ଟରଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ ପିଏସଆଇ ଦୀପାଂଶୁଙ୍କୁ ସନ୍ଦେହ କରୁଥିଲା । ଘଟଣା ସଂପର୍କରେ ପୋଲିସ ଜାଣିବା ପରେ ଦୀପାଂଶୁ ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି । ତେବେ ଅଭିଯୁକ୍ତ ଦୀପାଂଶୁ ଯେଉଁ ପିସ୍ତଲରେ ମହିଳା ଇନ୍ସପେକ୍ଟରଙ୍କୁ ଗୁଳି କରିଥିଲା, ସେଥିରେ ହିଁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।