ରେସ୍ତୁରାଁରେ ଅଭାବନୀୟ ଦୃଶ୍ୟ : ଶାଢୀ ପିନ୍ଧିଥିବାରୁ ମହିଳାଙ୍କୁ ପ୍ରବେଶ ପାଇଁ ମିଳିଲାନି ଅନୁମତି

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, ବିଭିନ୍ନ ମହଲରେ ନିନ୍ଦା

910

କନକ ବ୍ୟୁରୋ : ଦିଲ୍ଲୀର ଏକ ରେସ୍ତୁରାଁରେ ଘଟିଥିବା ଏକ ଅଭାବନୀୟ ଦୃଶ୍ୟ ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଶାଢ଼ୀ ପିନ୍ଧିଥିବାରୁ ଜଣେ ମହିଳାଙ୍କୁ ରେସ୍ତୁରାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନାହାଁନ୍ତି ରେସ୍ତୁରାଁ କର୍ମଚାରୀ । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି,ଜଣେ ମହିଳା କର୍ମଚାରୀ କହୁଛନ୍ତି, ଯେ ଆମେ କେବଳ ସ୍ମାର୍ଟ କାଜୁଆଲ ପୋଷାକ ପିନ୍ଧିଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥାଉ ଏବଂ ଶାଢ଼ୀ ସେହି ପରିଧାନ ତାଲିକାରେ ନାହିଁ ।

ମହିଳା ଜଣଙ୍କୁ ଭିଡିଓକୁ ଟୁଇଟରରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ଆକ୍ୱିଲା ରେସ୍ତୁରାଁରେ ଶାଢ଼ି ପିନ୍ଧିଥିବା ମହିଳାଙ୍କ ପ୍ରବେଶକୁ ଅନୁମତି ଦେଉନାହାଁନ୍ତି । କାରଣ ଭାରତୀୟ ଶାଢ଼ୀ ବର୍ତମାନ ସ୍ମାର୍ଟ ପୋଷାକ ତାଲିକାରେ ନାହିଁ । ଦୟାକରି ସ୍ମାର୍ଟ ପୋଷାକକୁ ବ୍ୟାଖ୍ୟା କରନ୍ତୁ, ଏହା ପରେ ମୁଁ ଶାଢ଼ୀ ପିନ୍ଧିବା ବନ୍ଦ କରିବି । ଏହି ଭିଡିଓ ଦେଖିବା ପରେ ସାରାଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ଏହା ଷଡଯନ୍ତ୍ର ବୋଲି ଲେଖିଛନ୍ତି ଲୋକେ ।