ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ବିଶ୍ୱ ଦେଖିବ ଭାରତର ସୈନ୍ୟ ଓ ସାଂସ୍କୃତିକ ଶକ୍ତି

୫୦ ବର୍ଷରେ ପ୍ରଥମ ଥର ସାମିଲ ହେଉନାହାନ୍ତି ମୁଖ୍ୟ ଅତିଥି । ଅଭେଦ୍ୟ ଦୁର୍ଗ ପାଲଟିଲା ଦେଶର ରାଜଧାନୀ

85

କନକ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ । ଆଜି ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଧାରଣତନ୍ତ୍ର ଦିବସକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ସାରା ଦିଲ୍ଲୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି । ତେବେ କରୋନା ଯୋଗୁଁ ଏଥର ଗଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ଯୋଗଦେବେ ନାହିଁ । ଗତ ୫ ଦଶକ ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ କେହି ଚିଫ୍ ଗେଷ୍ଟ ନାହାନ୍ତି । ସେହିପରି ସେନାପକ୍ଷରୁ ପ୍ରଦର୍ଶନ କରାଯାଉଥିବା ମୋଟର ସାଇକେଲ ଷ୍ଟଂଟ ଓ ଦୁଃସାହାସିକ କ୍ରିଡା ପରେଡରେ ସାମିଲ ହେବ ନାହିଁ ।

କୋଭିଡ କଟକଣା ଯୋଗୁଁ ପରେଡର ଲମ୍ବାକୁ ମଧ୍ୟ କମ କରାଯାଇଛି । ଏଥିସହ ଚଳିତ ବର୍ଷ ପରେଡ ଦେଖିବାକୁ ଆସୁଥିବା ଜନତାଙ୍କ ସଂଖ୍ୟାକୁ ମଧ୍ୟ କମାଇ ଦିଆଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହେବାକୁ ଯାଉଛି ରାଫେଲ ଯୁଦ୍ଧ ବିମାନ । ୯୦ଟି ଟ୍ୟାଙ୍କ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଭାରତୀୟ ସୈନ୍ୟ ନିଜ ଶକ୍ତି ସାରା ବିଶ୍ୱକୁ ଦେଖାଇବ ।