ନିଆଁ ନେଲା ୪୩ ଜୀବନ : ଦିଲ୍ଲୀ ମଣ୍ଡି ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା , ୫୦ ଅଧିକ ଆହତ ଡାକ୍ତରଖାନାରେ ଭର୍ତ୍ତୀ । ସର୍ଟସର୍କିଟ୍ ଯୋଗୁଁ ଲାଗିଥିଲା ନିଆଁ ।

182

ଦିଲ୍ଲୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ୪୩ କୁ ବୃଦ୍ଧି ହେଲାଣି । ଶେଷ ଖବର ସୁଦ୍ଧା ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ନିଆଁ ଲିଭା କାମରେ ୩୦ ଟି ଦମକଳ ଲାଗିଥିବା ବେଳେ ଉଦ୍ଧାର କାମରେ ନିୟୋଜିତ ହୋଇଛି ୨୬ ଟି ଆମ୍ବୁଲାନ୍ସ ।

ସୂଚନା ଅନୁସାରେ ଦିଲ୍ଲୀର ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ । ନିଆଁ ଭିତରୁ ପ୍ରାୟ ୫୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ଦିଲ୍ଲୀର ୪ ଟି ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଦିଲ୍ଲୀର ରାମ ମନୋହରଲାଲ ଲୋହିଆ, ଏଲଏନଜେପି, ହିନ୍ଦୁ ରାଓ ଏବଂ ସଫଦରଜଙ୍ଗ ଡାକ୍ତରଖାନାରେ ସମସ୍ତ ଆହତଙ୍କୁ ଭର୍ତ୍ତୀ କରାଯାଇଛି । କେବଳ ସଫଦରଜଙ୍ଗ ଡାକ୍ତରଖାନାରେ ୪୫ ଜଣ ଆହତ ଭର୍ତ୍ତୀ ହୋଇଥିବା ଜଣାପଡିଛି । ତେବେ ମଣ୍ଡି ଥିବା ସ୍ଥାନ କୋଠାଟି ତିନି ମହଲା ବିଶିଷ୍ଟ । ତଳ ମହଲାରେ ମଣ୍ଡି ଥିବା ବେଳେ ପ୍ରଥମ ମହଲାରେ ବ୍ୟାଗ୍ ତିଆରି ଫ୍ୟାକ୍ଟ୍ରି ଥିଲା । ଉପର ମହଲାରେ ରହିଥିଲା ପାଉଁରୁଟି କାରଖାନା ।

ସକାଳ ପ୍ରାୟ ୫ଟା ସମୟରେ ପ୍ରଥମେ ସର୍ଟସର୍କିଟରୁ ପାଉଁରୁଟି କାରଖାନାରେ ନିଆଁ ଲାଗିଥିଲା । ପରେ ଏହା ଅତି ଭୟଙ୍କର ଭାବରେ ପୁରା କୋଠାକୁ ବ୍ୟାପି ଯାଇଥିଲା । ଫଳରେ ଏଥିରେ କାମ କରୁଥିବା ଏବଂ ରାତିରେ ରହୁଥିବା ଲୋକେ ନିଆଁ ଭିତରେ ଫସି ରହିଥିଲେ । ନିଆଁ ଲାଗିବା ସହ ଧୂଆଁରେ ଭରି ଯାଇଥିଲା ଘର । ତେଣୁ ଉଦ୍ଧାରକାମରେ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡିଥିଲା । ପୁରା ଅଞ୍ଚଳଟି ଅଣଓସାରିଆ ହୋଇଥିବାରୁ ଭିତରକୁ ପହଁଚି ଦମକଳ ଗାଡି ନିଆଁ ଲିଭାଇବା କଷ୍ଟକର ହୋଇଥିଲା । ମୋଟ୍ ୩୦ଟି ଦମକଳ ନିଆଁ ଲିଭା କାମରେ ନିୟୋଜିତ ହେବା ସହିିତ ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତକରିଥିଲା । ଏହି ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।