କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ବଢିବାରେ ଲାଗିଛି । ଏତେ ମାତ୍ରାରେ ବାୟୁ ପ୍ରଦୂଷଣ ହୋଇଛି ଯେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି । ଆଉ ଏହି ପ୍ରଦୂଷଣ ଭିତରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ କରୋନା ସଂକ୍ରମଣକୁ ପୁଣି ବଢାଇପାରେ ।
ଡାକ୍ତର ଗୁଲେରିୟା କହିଛନ୍ତି, ବାୟୁ ପ୍ରଦୂଷଣ ଯେଉଁଠି ଅଧିକ ରହିବ ସେଠି କରୋନା ଅଧିକ ଘାତକ ହୋଇପାରେ । ଏହା ମଣିଷର ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ପ୍ରଦୂଷଣ ଯୋଗୁଁ କରୋନା ଲମ୍ବା ସମୟ ଯାଏଁ ବାୟୁରେ ରହିପାରିବ । ଆଉ ଏହା ପୁଣି ଦିଲ୍ଲୀରେ ସଂକ୍ରମଣକୁ ବୃଦ୍ଧି କରିପାରେ ।
ଏହାସହ ଗୁଲେରିୟା ଚିନ୍ତା ପ୍ରକଟ କରି କହିଛନ୍ତି, ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ନାଗରିକଙ୍କ ଆୟୁଷ କମ ହୋଇଯାଇଛି । ସେମାନେ କମ ବୟସରେ ବିପଦଜନକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତାଙ୍କ ଅନୁସାରେ ସିଗାରେଟ ଧୂଆଁରେ ଯେତିକି ବିପଦ ନାହିଁ ତାଠାରୁ ଅଧିକ ବିପଦ ବାୟୁ ପ୍ରଦୂଷଣରେ ରହିଛି ।