ଦିଲ୍ଲୀରୁ ଗିରଫ ହେଲେ ୬ ଆତଙ୍କବାଦୀ, ଆଇଏସଆଇ ଲିଙ୍କ ନେଇ ସନ୍ଦେହ

114

କନକ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ମିଳିଛି ବଡ ସଫଳତା । ସ୍ପେଶାଲ ସେଲ ଆଜି ୬ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୬ ଜଣଙ୍କ ସଂପର୍କ ଆତଙ୍କବାଦୀ ସଂଗଠନ ଆଇଏସଆଇ ଓ ଅଣ୍ଡରୱାର୍ଲ୍ଡ ସହ ଥିବା କଥା କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରୁ ଟ୍ରେନିଂ ନେଇଥିବା କଥା ବି ସାମ୍ନାକୁ ଆସିଛି । ଦିଲ୍ଲୀ ସ୍ପେଶାଲ ସେଲ ସେମାନଙ୍କୁ ଗିରଫ୍ କରିବା ପରେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଜବତ କରାଯାଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ସ୍ପେଶାଲ ସେଲ ଓ ୟୁପି ଏଟିଏସ ମିଳିତ ଭାବେ ପ୍ରୟାଗରାଜରେ ଚଢାଉ କରି ଏହି ୬ ଜଣଙ୍କୁ ଗିରଫ କରିଛନ୍ତି । ପ୍ରୟାଗରାଜର କରେଲି ଠାରେ ଏମାନେ ନିଜର ଡେରା ପକାଇଥିଲେ ।

ପୋଲିସର ସୂତ୍ର ମୁତାବକ ଏହି ଆତଙ୍କବାଦୀମାନେ ଦେଶର ବିଭିନ୍ନ ସହରରେ ଆକ୍ରମଣ କରିବାକୁ ଏକ ବଡ ଯୋଜନା କରିଥିଲେ । ଗୁଇନ୍ଦା ବିଭାଗରୁ ଏଭଳି ସୂଚନା ପାଇବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୟୁପି ଏଟିଏସ ସହାୟତାରେ ସେମାନଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି ।

ଆତଙ୍କବାଦୀମାନଙ୍କୁ ପଚରା ଉଚରା ବେଳେ ପୋଲିସକୁ କିଛି ବଡ ସୂଚନା ମିଳିଛି । ଆତଙ୍କବାଦୀମାନେ ପ୍ରୟାଗରାଜରେ ବିସ୍ଫୋରଣ କରିବା ସହ କିଛି ବଡ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା କଥା ଜଣାପଡିଛି ।

କୁହାଯାଉଛି କି ପାକିସ୍ତାନର ଟ୍ରେନିଂ ନେଇଥିବା ୨ ଆତଙ୍କବାଦୀଙ୍କ ସଂପର୍କ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହିତ ରହିଛି । ଆଇଏସଆଇ ପୁରା ଯୋଜନାର ସହ ସେମାନଙ୍କୁ ଭାରତ ପଠାଇଥିବା କଥା ଅନୁମାନ କରାଯାଇଛି ।