ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ । ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ ଚାଷୀ । ଆନ୍ଦୋଳନ ନକରିବାକୁ କୃଷି ମନ୍ତ୍ରୀଙ୍କ ଅନୁରୋଧ

Advertisment
ଆଜି ଦିଲ୍ଲୀରେ ଗଡିବ ଚାଷୀଙ୍କ ଟ୍ରାକ୍ଟର । ନୂଆ କୃଷି ଆଇନକୁ ବିରୋଧ କରି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବେ ଆନ୍ଦୋଳନରତ କୃଷକ

କନକ ବ୍ୟୁରୋ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ୫୮ ଦିନରେ ପହଁଚିଛି । ସରକାର ଚାଷୀ ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିବା ସହ କିଛି ସଂଶୋଧନ କରିବାକୁ ଆନ୍ଦୋଳନକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ପୂର୍ବ ଯୋଜନା ଅନୁଯାୟୀ ସାଧାରଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ ପୋଲିସ ମଧ୍ୟ ଏଥିପାଇଁ ଚାଷୀଙ୍କୁ ସର୍ତମୂଳକ ଅନୁମତି ଦେଇଛି । ଅନ୍ୟପଟେ ବର୍ଷର ୩୬୫ ଦିନ ପଡିଥିବାରୁ ଜାନୁଆରୀ ୨୬ରେ ଆନ୍ଦୋଳନ ନକରିବାକୁ ଚାଷୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ବଡ ପ୍ରସ୍ତୁତି ଚଳାଇଛନ୍ତି ଚାଷୀ ସଂଗଠନ । ଦୀର୍ଘ ୫୮ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରିବା ପରେ ସରକାର କୃଷକଙ୍କ ଦାବିକୁ ନମାନିବାରୁ ଅଧିକ ଚାପ ସୃଷ୍ଟି କରିବାକୁ କିଷାନ ଗଣତନ୍ତ୍ର ପ୍ୟାରେଡ୍ କରିବାକୁ ସଜ ହେଉଛନ୍ତି ଚାଷୀ । ଏଭଳି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଆନ୍ଦୋଳନକାରୀ କୃଷକଙ୍କୁ ଅନୁରୋଧ କରିଛନ୍ତି । ଜାନୁଆରୀ ୨୬ ଜାତୀୟ ଦିବସ ହୋଇଥିବାରୁ ଏହି ଦିନ ଆନ୍ଦୋଳନ ନକରିବାକୁ ସେ କୃଷକଙ୍କୁ ଅପିଲ କରିଛନ୍ତି । ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ‘‘ବର୍ଷ ସାରା ୩୬୫ ଦିନ ପଡିଛି । କୌଣସି ବି ଦିନରେ କୃଷକମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିପାରିବେ । ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ ଏହି ଦିନ ଟ୍ରାକ୍ଟର ରାଲି ନକରିବାକୁ ଅନୁରୋଧ।’’

ଟ୍ରାକ୍ଟର ରାଲିକୁ ଦିଲ୍ଳୀ ପୋଲିସର ଅନୁମତି
ଦିଲ୍ଲୀର କିଛି ବାଟ ପର୍ଯ୍ୟନ୍ତ ଆସିବ ଶୋଭାଯାତ୍ରା

କୃଷକଙ୍କ ଦାବିକୁ ସମ୍ମାନ ଜଣାଇ ଦିଲ୍ଳୀରେ ଟ୍ରାକ୍ଟର ରାଲି କରିବାକୁ ସର୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ୍ । ଅନୁମତି ଅନୁସାରେ ତିନୋଟି ସ୍ଥାନରୁ ବାହାରିବ ଶୋଭାଯାତ୍ରା । ତେବେ ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଚାଷୀ ସଂଗଠନକୁ କହିଛି ପୋଲିସ ।
ଅନ୍ୟପଟେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ପାଇଁ ଦିଲ୍ଲୀ ପୁଲିସକୁ ରୁଟଚାର୍ଟ ଦେଇଛି କୃଷକ ସଂଗଠନ ଏବଂ ରାଲି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୃଷକ ନେତା ।

ଅନ୍ୟପଟେ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ କରାଯାଇଛି । ଟ୍ରାକ୍ଟର ପାଇଁ ତେଲ ନଦେବାକୁ ଗାଜିଆବାଦର ବିଭିନ୍ନ ପେଟ୍ରୋଲ ପମ୍ପରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଟ୍ରାକ୍ଟର ଓ ବୋତଲରେ ତେଲ ଦିଆଯିବ ନାହିଁ ବୋଲି ଲେଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe