ବ୍ରିଜଭୂଷଣଙ୍କୁ ଗିରଫ କରିବା ମାମଲା : ପୋଲିସ୍ କହିଲା ନାହିଁ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ । ବ୍ରିଜଭୂଷଣ କହିଲେ ଦୋଷୀ ପ୍ରମାଣିତ ହେଲେ ଝୁଲିଯିବି ଫାଶୀଖୁଣ୍ଟରେ

430

କନକ ବ୍ୟୁରୋ : ଗଙ୍ଗାରେ ପଦକ ବିସର୍ଜନ କରିବାରୁ ଅଟକିଲେ କୁସ୍ତିଯୋଦ୍ଧା । ରବିବାର ନୂଆ ସଂସଦ ଭବନ ଆଡକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କୁସ୍ତି ଯୋଦ୍ଧା । ଯାହାପରେ ଦିଲ୍ଲୀ ପୋଲିସ୍ ବ୍ୟାରିକେଡ୍ ଲଗାଇ ସେମାନଙ୍କୁ ଅଟକାଇବା ସହ ହେପାଜତକୁ ନେଇଥିଲା । ତେବେ ଏହି ସମୟରେ ପୋଲିସ୍ ଓ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଥିଲା । ପୋଲିସ୍ ଓ ପ୍ରଶାସନର କାଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଆଉ ଏହି ଘଟଣାରେ ମର୍ମାହାତ ହୋଇ ଜିଣିଥିବା ପଦକଗୁଡିକୁ ଗଙ୍ଗାରେ ବିସର୍ଜନ କରିବାକୁ ନିଷ୍ପତି ନେଇଥିଲେ କୁସ୍ତି ଖେଳାଳୀମାନେ । ଆଉ ଏଥିପାଇଁ ହରିଦ୍ୱାରରେ ମଧ୍ୟ ପଂହଚିଥିଲେ । ପରେ ଏହି ଘଟଣାରେ କୃଷକନେତା ନରେଶ ଟିକାୟତ ପ୍ରବେଶ କରି କୁସ୍ତି ଯୋଦ୍ଧାଙ୍କୁ ବୁଝାସୁଝା କର ସମସ୍ୟା ସମାଧାନ କରିବାକୁ ୫ ଦିନ ସମୟ ନେଇଛନ୍ତିି । ସେହିପରି ମିଳିତ କୁସ୍ତି ମହାସଂଘ ଏହି ଘଟଣାରେ କୁସ୍ତିଯୋଦ୍ଧାଙ୍କ ଉପରେ ହୋଇଥିବା କାଯ୍ୟାନୁଷ୍ଠାନକୁ କଡା ନିନ୍ଦା କରିବା ସହ ଏକ ବିବୃତି ଜାରି କରିଛି । ୪୫ ଦିନ ମଧ୍ୟରେ ଘଟଣାର ସମାଧାନ ନହେଲେ ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରିବା ନେଇ କୁହାଯାଇଛି ।

ଅନ୍ୟପଟେ ଏହି ମାମଲାରେ କୁସ୍ତି ମହାସଂଘ ସଭାପତି ବ୍ରିଜଭୁଷଣ ସିଂଙ୍କ ପ୍ରତିକ୍ରିୟା ଆସିଛି । ବ୍ରିଜଭୁଷଣ କହିଛନ୍ତି ପ୍ରତିବାଦକାରୀ ଖେଳାଳୀମାନେ ପଦକ ଗଙ୍ଗାଙ୍କୁ ଦେବା ପରିବର୍ତେ ନରେଶ ଟିକାୟତଙ୍କୁ ଦେଇଛନ୍ତି । ଏହା ହିଁ ତାଙ୍କ ମନୋଭାବ ବୋଲି କହି ତେରଛା ବାଣ ମାରିଛନ୍ତି ବ୍ରିଜଭୁଷଣ ସିଂ । ବିଜେପି ସାଂସଦ ଆହୁରି କହିଛନ୍ତି କି ଯଦି ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ ତାହେଲେ ସେ ଫାଶିରେ ଝୁଲିବାକୁ ମଧ୍ୟ ପ୍ରସ୍ତୁତ । ଏମିତିକି ହରିଆଣାର ୮୫ ପ୍ରତିଶତ ଲୋକ ମୋ ସହ ଥିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବ୍ରିଜଭୁଷଣ ସିଂ । ଦୀର୍ଘଦିନ ଧରି ବ୍ରିଜଭୁଷଣଙ୍କ ବିରୋଧରେ ପ୍ରତିବାଦ କରିଆସୁଥିଲେ ହେଁ ଏଯାଏଁ ତାଙ୍କ ଉପରେ କୌଣସି ଠୋସ୍ କାଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଗୋଟିଏ ପଟେ ବ୍ରିଜଭୁଷଣ ସିଂଙ୍କ ବିରୋଧରେ ଯୌନଉତ୍ପୀଡନ ଭଳି ସାଂଘାତିକ ଅଭିଯୋଗ ଗତ ଜାନୁଆରୀ ମାସରୁ ଆଣିଆସୁଛନ୍ତି ସାକ୍ଷୀ ମଲ୍ଲିକ ,ବଜରଙ୍ଗ ପୁନିଆ , ଭିନେଶ ଫୋଗଟଙ୍କ ପରି ଦେଶ ପାଇଁ ପଦକ ଜିତିଥିବା ଖେଳାଳୀ । ଅନ୍ୟପଟେ ବ୍ରିଜଭୁଷଣଙ୍କୁ ଗିରଫ ପାଇଁ ହୋଇଥିବା ତଦନ୍ତ ଅବସରରେ ପ୍ରର୍ଯ୍ୟାପ୍ତ ପ୍ରମାଣ ମିଳିନଥିବା କହିଛି ଦିଲ୍ଲୀ ପୋଲିସ୍ । ସେପଟେ ପୁରା ଘଟଣାର ଏକ ଫାଇନାଲ ରିପୋର୍ଟ ୧୫ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବ ବୋଲି ଦିଲ୍ଲୀ ପୋଲିସ୍ କହିଛି ।