ଆଜି ଦିଲ୍ଲୀରେ ଗଡିବ ଚାଷୀଙ୍କ ଟ୍ରାକ୍ଟର । ନୂଆ କୃଷି ଆଇନକୁ ବିରୋଧ କରି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବେ ଆନ୍ଦୋଳନରତ କୃଷକ

80

କନକ ବ୍ୟୁରୋ: ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ପରେଡ ଉତ୍ସବ ସରିବା ପରେ କିନ୍ତୁ ପୋଲିସର ଦାୟିତ୍ୱ ସରୁନାହିଁ । କାରଣ ସୈନିକମାନଙ୍କ ଭଳି ଆଜି କୃଷକମାନେ ବି ପରେଡ କରିବେ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ ଚାର୍ଟ ଅନୁଯାୟୀ ଟ୍ରାକ୍ଟର ରାଲି ହେବ । ଏହି ରାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସଠାରୁ ଅନୁମତି ମିଳିଛି । ତେଣୁ ପୋଲିସର ଦାୟିତ୍ୱ ଆହୁରି ବଢିଯାଇଛି ।

ସେପଟେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ବନ୍ଦ ରହିବ । ସକାଳ ୮ଟା ପୂର୍ବରୁ କେବଳ ୨ଟି ଟ୍ରେନ ଏଠାକୁ ଛାଡିବ । ଏହାପରେ ସନ୍ଧ୍ୟାସୁଦ୍ଧା ଯିବାକୁ ଥିବା ୬ଟି ଟ୍ରେନରୁ ଗୋଟିଏ ବାତିଲ ହେବ ଏବଂ ଅନ୍ୟ ୫ଟି ରାତି ୮ଟା ପରେ ଚଳାଚଳ କରିବ । ତେବେ ଟ୍ରାକ୍ଟର ପରେଡ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର, ଆଇବି ମୁଖ୍ୟ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ । ଟ୍ରାକ୍ଟର ପରେଡ ପାଇଁ ଅନୁମତି ମିଳିବା ପରେ ଆସନ୍ତା ଫେବ୍ରୁଆରୀ ୧ତାରିଖରେ ଚାଷୀମାନେ ସଂସଦ ମାର୍ଚ୍ଚ କରିବା ପାଇଁ ଘୋଷଣା କରିଦେଇଛନ୍ତି ।