ଜେଏନୟୁ ହିଂସାକାଣ୍ଡ : ମୁଖାପିନ୍ଧା ଦୃବୁର୍ତ୍ତଙ୍କ ମୁଖା ଖୋଲିଲା ପୋଲିସ, ହିଂସାରେ ଜେଏନୟୁ ଛାତ୍ର ସଂସଦ ସଭାପତି ସାମିଲ । ୯ ଛାତ୍ରଛାତ୍ରୀଙ୍କୁ ଜାରି ହେଲା ନୋଟିସ ।

566

ଖୋଲିଲା ମୁଖାପିନ୍ଧାଙ୍କ ମୁଖା । ଜେଏନୟୁ ହିଂସା ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିଛି ପୋଲିସ । ଏଥିରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଷି ଘୋଷଙ୍କ ସମେତ ଅନ୍ୟ ୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ ଜାରି କରିଛି । ତେବେ ବିଶ୍ୱବିଦ୍ୟାଳୟରେ ହିଂସା ସୃଷ୍ଟି କରିଥିବା କୌଣସି ଅଭିଯୁକ୍ତଙ୍କୁ ଏଯାଏଁ ପୋଲିସ ଗିରଫ କରିପାରିନାହିଁ ।

ଗତ ୫ ଜାନୁଆରୀରେ ଜେଏନୟୁରେ ରେଜିଷ୍ଟ୍ରେସନକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । କିଛି ମୁଖାପିନ୍ଧା ଦୃବୁର୍ତ କ୍ୟାମ୍ପସରେ ପଶି ସର୍ଭର ରୁମ୍ ଭାଙ୍ଗିବା ସହ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ଜେଏନୟୁରେ ରେଜିଷ୍ଟ୍ରେସନକୁ ନେଇ ଏଭଳି ହିଂସା ଦେଖିବାକୁ ମିଳିଥିଲା । ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଏହି ଆକ୍ରମଣ ଦେଖା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା । ପୋଲିସର କହିବା ଅନୁଯାୟୀ, ୪ ଛାତ୍ର ସଙ୍ଗଠନ ରେଜିଷ୍ଟ୍ରେସନକୁ ବିରୋଧ କରି ଆସୁଥିଲେ । ତେଣୁ ଯେଉଁମାନେ ରେଜିଷ୍ଟ୍ରେସନ ସପକ୍ଷରେ ଥିଲେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା ।

ରେଜିଷ୍ଟ୍ରେସନ ପାଇଁ ୫ ଜାନୁଆରୀ ଶେଷ ତାରିଖ ରହିଥିବା ବେଳେ କିଛି ଛାତ୍ର ସର୍ଭର ରୁମରେ ପଶି ଭଙ୍ଗାରୁଜା କରିଥିଲେ । ଏପରିକି ଜେଏନୟୁରେ ହିଂସାକୁ ବ୍ୟାପକ କରିବାକୁ ଏକ ହ୍ୱାଟସଆପ ଗ୍ରୁପ ମଧ୍ୟ ଖୋଲାଯାଇଥିଲା । ହିଂସାକାଣ୍ଡ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବା ପରେ ମୁଖାପିନ୍ଧା ଦୃବୁର୍ତ କ୍ୟାମ୍ପସର ବିଭିନ୍ନ ହଷ୍ଟେଲରେ ପଶିଥିଲେ । ତେବେ ହିଂସାକାଣ୍ଡ ସମୟର କୌଣସି ସିସିଟିଭି ଭିଜୁଆଲ ନଥିଲେ ମଧ୍ୟ ଭାଇରାଲ ହେଉଥିବା ଫୁଟେଜ ଓ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ହିଂସାକାଣ୍ଡ ପଛରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଜେଏନୟୁ ହିଂସାକାଣ୍ଡକୁ ନେଇ ଏବେ ପୂରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏପରିକି ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ମୋଦି ସରକାରକୁ ଟାର୍ଗେଟ କରୁଥିବା ବେଳେ ଜେଏନୟୁର ଛାତ୍ରଛାତ୍ରୀ ମାନେ ମଧ୍ୟ ବିରୋଧ ପ୍ରଦର୍ଶନ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ପୋଲିସ ମୁଖାପିନ୍ଧା ଦୃବୁର୍ତଙ୍କ ମୁଖା ଖୋଲିବାରେ ସକ୍ଷମ ହୋଇଛି ।