କନକ ବ୍ୟୁରୋ : ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିବା ଭାଜପାର ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କ ସୁରକ୍ଷା ବଢିଛି । ଦିଲ୍ଲୀ ପୋଲିସ ନିଲମ୍ବିତ ନୂପୁରଙ୍କୁ ଏବଂ ତାଙ୍କ ପରିବାର ସୁରକ୍ଷା ବଢାଇଛି । ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ନୂପୁରଙ୍କୁ ଜୀବନରୁ ମାରିବାକୁ ଧମକ ମିଳିଛି । ଏନେଇ ଅଭିଯୋଗ ପରେ ପୋଲିସ ମକଦ୍ଦମା ରୁଜୁ କରି ସୁରକ୍ଷା ବଢାଇଛି । ନୂପୁର ଧମକ ମିଳିବା ପରେ ପୋଲିସ ସୁରକ୍ଷା ଲୋଡିଥିଲେ । ଦିଲ୍ଲୀ ପୋଲିସ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି ।

Advertisment

ବିବାଦୀୟ ବୟାନ ପରେ ରବିବାର ନୂପୁର ବିଜେପିରୁ ନିଲମ୍ବିତ ହୋଇଥିଲେ । ତାଙ୍କ ସହ ଦିଲ୍ଲୀ ପ୍ରଦେଶର ମିଡିଆ ସେଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ ନିଲମ୍ବିତ ହୋଇଥିଲେ । ମୁସଲିମ ପକ୍ଷର ବିରୋଧ, କୁଏତ, କାତାର, ଇରାନ ଭଳି ବିଭିନ୍ନ ରାଷ୍ଟ୍ରର କଡା ପ୍ରତିକ୍ରିୟା ପରେ ଭାଜପା ପକ୍ଷରୁ ବୟାନ ଜାରି ହୋଇଥିଲା । ସବୁ ଧର୍ମ ପ୍ରତି ଦଳର ସମ୍ମାନ ରହିଛି । କୌଣସି ଧାର୍ମିକ ବ୍ୟକ୍ତିଙ୍କୁ ଅପମାନ କରିବା ଦଳର ଲକ୍ଷ୍ୟ ନୁହେଁ । ୧୦ ଦିନ ତଳେ ଗୋଟିଏ ଟିଭି ଡିବେଟରେ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ଏବଂ ନବୀନ ଜିନ୍ଦଲଙ୍କ ଟୁଇଟ କାରଣରୁ ସାରା ଦେଶର ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା । କିଛି ଦେଶ ଭାରତୀୟ ଉତ୍ପାଦ ବ୍ୟାନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଟ୍ୱିଟରରେ ଏହା ଟ୍ରେଣ୍ଡ ମଧ୍ୟ କରିଥିଲା

ବିଜେପିର କାର୍ଯ୍ୟାନୁଷ୍ଠାନ ପରେ ନୂପୁର ନିସର୍ତ୍ତ କ୍ଷମା ମାଗିଥିଲେ । ନିଜ ଟିପ୍ପଣୀ ଫେରାଉଥିବ ସେ କହିଥିଲେ । ମେ ୨୮ରେ ନୂପୁରଙ୍କୁ ମାରିବା ପାଇଁ ହତ୍ୟା ଧମକ ମିଳିବା ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା । ଜଣେ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।