ସୁନନ୍ଦା ମୃତ୍ୟୁ ମାମଲାରେ ‘ଶଶୀ’ ଫସିଲେ! ସ୍ୱାମୀ ତଥା ସାଂସଦଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

56

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କାଠଗଡାରେ ଶଶୀ ଥରୁର । ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଦିଲ୍ଲୀ ପୁଲିସ । ୩ ହଜାର ପୃଷ୍ଠାର ଚାର୍ଜସିଟରେ ସୁନନ୍ଦାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ତଥା ସାଂସଦ ଶଶୀ ଥରୁରଙ୍କୁ ଦୋଷୀ ବୋଲି ଦର୍ଶାଇଛି ପୁଲିସ । ଆଇପିସି ଧାରା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଓ ଆଇପିସି ଧାରା ୪୯୮ ‘ଏ’ ଅର୍ଥାତ୍ ବୈବାହିକ ଜୀବନରେ ପ୍ରତାରଣା ଦେବା ଅଭିଯୋଗ ଉଲ୍ଲେଖ କରିଛି ପୁଲିସ ।

ଏସଆଇଟି ଏହା ବି ଲେଖିଛି, ଯେ ଶଶୀ ଥରୁର ସୁନନ୍ଦାଙ୍କୁ ମାରପିଟ କରିଛନ୍ତି । ସୁନନ୍ଦାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଦେହରେ ଥିବା ୧୨ଟି କ୍ଷତ ଚିହ୍ନକୁ ଆଧାର କରି ପୁଲିସ ଏହା କହିଛି । ଚାର୍ଜସିଟର ୧୧ ନମ୍ବର କଲମରେ ଶଶୀ ଥରୁରଙ୍କ ବିରୋଧରେ ଲେଖିଛି ପୁଲିସ । ୧୧ ନମ୍ବର କଲମରେ ଗିରଫ ହୋଇନଥିବା ଦୋଷୀଙ୍କ ବିରୋଧରେ ଲେଖିବାର ବ୍ୟବସ୍ଥା ରହିଛି । ତେବେ ଆଜି ଦିଲ୍ଲୀ ପୁଲିସ ଏସଆଇଟି ପଟିଆଲା କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ବେଳେ ଆସନ୍ତା ୨୪ ତାରିଖରେ କୋର୍ଟ, ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଶୁଣାଣୀ କରିବେ । ୧୭ ଜାନୁଆରୀ ୨୦୧୪ରେ ଦିଲ୍ଲୀର ଏକ ପଂଚତାରକା ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।