ଫେରାର ଥିବା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୋଲିସ । ମୁଣ୍ଡ ଉପରେ ରଖାଗଲା ଲକ୍ଷେ ଟଙ୍କାର ପୁରସ୍କାର ରାଶି ।

270

କନକ ବ୍ୟୁରୋ : ସାଗର ରାଣା ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୋଲିସ । ଦିଲ୍ଲୀର ଛତ୍ରପାଲ ଷ୍ଟାଡିୟମରେ ୨୩ ବର୍ଷୀୟ ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଫେରାର ଥିବା ସୁଶୀଲ କୁମାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ । ଅର୍ଥାତ ସୁଶୀଲ କୁମାରଙ୍କୁ ପୋଲିସ ହାତରେ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର, ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି ।

ତେବେ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲା ଦିଲ୍ଲୀ ପୋଲିସ । ପୁଲିସ ସୂଚନାନୁସାରେ, ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚାଲିଛି । ସୁଶୀଲଙ୍କ ବ୍ୟତୀତ ନଅ ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । କୋର୍ଟ କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଜରୁରୀ ।

ସାଗର ରାଣା ହତ୍ୟା ମାମଲାରେ ସୁଶୀଲ କୁମାର ଏବଂ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁଲିସର ସୂଚନାନୁସାରେ, ସୁଶୀଲ, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍କିଂ ଅଞ୍ଚଳରେ ମାରପିଟ ହୋଇଥିଲା । ଆଉ ସାଗରଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ସୁଶୀଲଙ୍କ ସମେତ ଅନ୍ୟମାନଙ୍କ ନାମରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ସୂଚନା ଥାଉ କି କୁସ୍ତିରେ ସେ ୨୦୧୨ ଲଣ୍ଡନ ଅଲମ୍ପିକରେ ରୋପ୍ୟ ଓ ୨୦୦୮ ବେଜିଙ୍ଗ ଅଲମ୍ପିକରେ ବ୍ରୋଞ୍ଚ ପଦକ ଜିତିଥିଲେ ।