କମୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା । କେଜ୍ରିୱାଲଙ୍କ ବାସଭବନରେ କ୍ରାଇମବ୍ରାଂଚ ଟିମ, ବିଜେପି ଉପରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଡ଼ାବେପାର ଅଭିଯୋଗର ହେବ ତଦନ୍ତ

234

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମ ହେବା ନାନେଉନି । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଇଡି ଜାଲରେ ଛନ୍ଦି ହେବା ସହ ଏଣିକି କ୍ରାଇମବ୍ରାଂଚ ଟିମ ତାଙ୍କ ବାସଭବନରେ ପହଁଚିଛି । ସବୁଠୁ ବଡ କଥା ହେଉଛି କ୍ରାଇମବ୍ରାଂଚ ସେହି ଅଭିଯୋଗ ତଦନ୍ତ ଆରମ୍ଭ କରିଛି ଯେଉଁ ଅଭିଯୋଗ ଜାନୁଆରୀ ୨୭ରେ ବିଜେପି ଉପରେ ଆଣିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ନିକଟରେ କେଜ୍ରିୱାଲ କହିଥିଲେ—
ଆମ ଆଦମୀ ପାର୍ଟିର ୭ଜଣ ବିଧାୟକଙ୍କୁ ବିଜେପି ୨୫କୋଟି ଲେଖାଏଁ ଟଙ୍କା ଅଫର ଦେଇ କିଣିବାକୁ ଚେଷ୍ଟା କରୁଛି । ଦିଲ୍ଲୀ ସରକାରଙ୍କୁ ଭାଙ୍ଗିବା ପାଇଁ ଆପର ୨୧ଜଣ ବିଧାୟକଙ୍କୁ ସର୍ମ୍ପକ କରୁଛି ବିଜେପି ।

ଏହି ଅଭିଯୋଗର ପ୍ରମାଣ ମାଗିବାକୁ କ୍ରାଇମବ୍ରାଂଚ ଟିମ କେଜ୍ରିୱାଲଙ୍କ ବାସଭବନରେ ପହଁଚିଛି । କ୍ରାଇମବ୍ରାଂଚ ନୋଟିସରେ କୁହାଯାଇଛି—ଅଭିଯୋଗର ତଦନ୍ତ ହେବ । ଏନେଇ ପର୍ଯ୍ୟାପ୍ତ ପ୍ରମାଣ ଦିଅନ୍ତୁୁ କେଜ୍ରିୱାଲ । ତଦନ୍ତ ପ୍ରକିୟାରେ ସାମିଲ ହୁଅନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ଅତସୀ ମର୍ଲେନା । ଶୁକ୍ରବାର ଅତସୀଙ୍କ ଘରୁ ଫେରିବା ପରେ ଶନିବାର କେଜ୍ରିୱାଲଙ୍କୁ ନୋଟିସ ଦେବାକୁ ପହଁଚିଛି କ୍ରାଇମବ୍ରାଂଚ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଜେପି ଉପରେ ଘୋଡ଼ା ବେପାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପ୍ରଦେଶ ବିଜେପି ଦିଲ୍ଲୀ ପୁଲିସକୁ ଲିଖିତ ଅଭିଯୋଗ ପତ୍ର ଦେଇ ତଦନ୍ତ ପାଇଁ କହିଥିଲେ । ବିଜେପି କହିଛି ଦଳର ଭାବମୂର୍ତି ଖରାପ କରିବାକୁ ଏଭଳି ଅଭିଯୋଗ କରୁଛି ଆମ ଆଦମୀ ପାର୍ଟି । ଯଦି ସାହସ ଅଛି ସାମ୍ନାକୁ ଆସି ପ୍ରମାଣ ଓ ଜବାବ ରଖନ୍ତୁ କେଜ୍ରିୱାଲ । ସେପଟେ ଚର୍ଚ୍ଚା ହେଉଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମନ ପରେ ସମନ ପଠାଯାଉଥିଲେ ବି ଜେରା ପାଇଁ ହାଜର ହେଉନାହାଁନ୍ତି । କଳେବଳେ କୌଶଳେ କେଜ୍ରିୱାଲଙ୍କୁ ଇଡି ଜାଲରେ ଫଶାଇବାକୁ ହୁଏତ ବିଜେପିର ଏହା ଏକ ନୂଆ ଚାଲ ହୋଇପାରେ ।