ପାଣିରେ ଫସିଥିଲା ଅଟୋ : ଅଟୋଚାଳକଙ୍କ ଜୀବନ ବଂଚାଇ ଚର୍ଚ୍ଚା ସାଉଁଟିଲେ ଦିଲ୍ଲୀ ପୋଲିସର ଏହି କନେଷ୍ଟବଳ । ସାଧୁବାଦ ଜଣାଇଲା ସୋସିଆଲ୍ ମିଡ଼ିଆ 

644

କରୋନା ମହାମାରୀ ଭିତରେ ଏବେ ଦାଉ ସାଜୁଛି ବର୍ଷା । କିଛି ଦିନ ହେଲା ଦିଲ୍ଲୀବାସୀଙ୍କୁ ନାକେଦମ୍ କଲାଣି ଲଗାଣ ବର୍ଷା । ଶନିବାର ରାତିଠାରୁ ଦିଲ୍ଲୀ ଏନସିଆରରେ କାଚୁଛି ବର୍ଷା । ଲଗାଣ ବର୍ଷା ଦ୍ୱାରା ଅନେକ ଅଞ୍ଚଳରେ ପୋଖରୀ ଏବଂ ନଈର ଭ୍ରମ ସୃଷ୍ଟି କରୁଥିଲା ବର୍ଷାପାଣି । ଆଣ୍ଠୁଏ ପାଣିରେ ବୁଡ଼ିଥିଲା ଦିଲ୍ଲୀ । ବର୍ଷା ପାଣି ମିଣ୍ଟୋ ବ୍ରିଜ୍ ତଳେ ଏଭଳି ଭାବରେ ଜମାଟ ହେଲା ଯେ ସେଠାରେ ଓଟୋ ଚଲାଉଥିବା ଜଣେ ଅଟୋଚାଳକଙ୍କ ଜୀବନ ଚାଲିଗଲା । ଏହାସହ ଅନ୍ନାନଗର ପାଖାପାଖି ୧୦ ଟି ଘରକୁ ପାଣିରେ ବୁହାଇନେଲା ଲଗାଣ ବର୍ଷା । ତେବେ ଏହି ଭିତରେ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ଏଭଳି ଏକ ଫଟୋ ଯାହା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି ।

ଫଟୋରେ ଦିଲ୍ଲୀ ସଡକର ଦରଦ ଏବଂ ଖାକିପୋଷାକର ମହାନତାକୁ ଦେଖିବାକୁ ମିଳିଛି । ପାଣିରେ ଫସିରହିଥିବା ଜଣେ ଅଟୋଚାଳକଙ୍କ ଅଟୋକୁ ସଳଖୁଥିବା ଜଣେ ପୋଲିସ୍ କର୍ମଚାରୀଙ୍କୁ ନେଇ ଏବେ ଚର୍ଚ୍ଚା । ଦିଲ୍ଲୀ ପୋଲିସର ଏହି କନେଷ୍ଟବଳଙ୍କୁ ସଲାମ୍ କରୁଛି ସୋସିଆଲ୍ ମିଡ଼ିଆ । ଓଲଟି ପଡ଼ିଥିବା ଅଟୋ ଏବଂ ଅଟୋଚାଳକଙ୍କୁ ସହାୟତା କରି ସାଧୁବାଦ ସାଉଁଟିଲେ କନେଷ୍ଟବଳ ।