ସତ ହେଲା ସ୍ୱପ୍ନ…କଠିନ ପରିଶ୍ରମ କରି ଜଣେ କନେଷ୍ଟବଳ ବନିବାକୁ ଯାଉଛନ୍ତି ଆସିଷ୍ଟାଣ୍ଟ ପୋଲିସ କମିଶନର ।

569

କନକ ବ୍ୟୁରୋ : କନେଷ୍ଟବଳରୁ ଆସିଷ୍ଟାଣ୍ଟ ପୋଲିସ କମିଶନର । ସତ ହେଲା ସ୍ୱପ୍ନ…ଅଫିସର ବନିବେ ଫିରୋଜ । ଏ କାହାଣୀ କୌଣସି ହିନ୍ଦୀ ଫିଲ୍ମ ଠାରୁ କମ୍ ନୁହେଁ । ଆପଣ ଫିଲ୍ମରେ ଅନେକ ବାର ଦେଖିଥିବେ, ଯେ କୌଣସି ବିଭାଗର ଛୋଟ ପଦରେ କାମ କରୁଥିବା କର୍ମଚାରୀଟିଏ ସେହି ବିଭାଗର ଅଫିସର ବନିଯାଏ । କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଫିଲ୍ମ କାହାଣୀର ଏଭଳି ଝଲକ ଦେଖିବାକୁ ମିଳିଛି, ଯେତେବେଳେ, ଜଣେ କନେଷ୍ଟବଳ କଠିନ ପରିଶ୍ରମ କରି ବନିବାକୁ ଯାଉଛନ୍ତି ଆସିଷ୍ଟାଂଟ ପୋଲିସ କମିଶନର ।

ଏ କାହାଣୀ ହେଉଛି ଦିଲ୍ଲୀ ପୋଲିସରେ କାର୍ଯ୍ୟ କରୁଥିବା ଫିରୋଜ ଆଲମଙ୍କର । ଦୀର୍ଘ ୧୦ ବର୍ଷ ହେଲା ଦିଲ୍ଲୀ ପୋଲିସର କନେଷ୍ଟବଳ ଭାବେ କାମ କରୁଥିଲେ ଫିରୋଜ । କିନ୍ତୁ ପିଲାଟି ବେଳରୁ ଜଣେ ଆଇପିଏସ ଅଫିସର ବନିବାକୁ ସେ ସ୍ୱପ୍ନ ଦେଖୁଥିଲେ । ଆଉ ସବୁ କଷ୍ଟ, ଦୁଃଖକୁ ଦୂର କରି ନିଜ ସ୍ୱପ୍ନ ପୂରଣ କରିଛନ୍ତି ଫିରୋଜ । ଆଉ ସାଧାରଣ କନେଷ୍ଟବଳରୁ ସେ ଏବେ ବନିବାକୁ ଯାଉଛନ୍ତି ଆସିଷ୍ଟାଂଟ ପୋଲିସ କମିଶନର ।

ଫିରୋଜଙ୍କର ସଂଘର୍ଷର କାହାଣୀ ଅନେକଙ୍କ ପାଇଁ ପ୍ରେରଣାଦାୟୀ । ଦିଲ୍ଲୀ ପୋଲିସର ପିସିଆର ୟୁନିଟରେ ଦୀର୍ଘ ୧୦ ବର୍ଷ ଧରି କନେଷ୍ଟବଳ ଭାବେ ସେ କାର୍ଯ୍ୟ କରୁଥିଲେ । ଆଉ ଏହି ୧୦ ବର୍ଷ ଭିତରେ ଅନେକ ପରୀକ୍ଷା ପାଇଁ ସେ ପ୍ରସ୍ତୁତି ମଧ୍ୟ କରୁଥିଲେ । ଆଉ ଶେଷରେ ଦେଶର ସବୁଠୁ ପ୍ରତିଷ୍ଠିତ ୟୁପିଏସସି ପରୀକ୍ଷାରେ ସଫଳ ଭାବେ ପାସ୍ କରି ସେ ପ୍ରମାଣ କରିଦେଇଛନ୍ତି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଭରିରହେ, ତେବେ ସବୁ ସ୍ୱପ୍ନ ସମ୍ଭବ ହୋଇପାରିବ ।

ଏବେ ଦିଲ୍ଲୀ ପୋଲିସରେ ଏସିପି ବନିବେ ଫିରୋଜ । କିନ୍ତୁ ବର୍ତମାନ ସମୟରେ ଦିଲ୍ଲୀ ପୋଲିସ ଟ୍ରେନିଂ ସେଂଟରରେ ସେ ତାଲିମ ନେଉଛନ୍ତି । ଆଉ ଆସନ୍ତାବର୍ଷ ମାର୍ଚ୍ଚ ମାସ ଭିତରେ ତାଙ୍କୁ ଏସିପି ଭାବେ ପୋଷ୍ଟିଂ ମଧ୍ୟ ମିଳିବ । ଗରିବ ଘରେ ଜନ୍ମ ହୋଇଥିବା ଫିରୋଜ ଦ୍ୱାଦଶ ପରୀକ୍ଷା ପାସ୍ କରିବା ପରେ ୨୦୧୦ ମସିହାରେ ଦିଲ୍ଲୀ ପୋଲିସରେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ । ଏହା ପରେ ଉପରିସ୍ଥ ଅଧିକାରୀ ଏବଂ ଅଫିସରମାନଙ୍କୁ ଦେଖି ତାଙ୍କ ଭଳି ହେବାକୁ ଆଶା ରଖିଥିଲେ ଫିରୋଜ । ଆଉ ଏହାର ଏକମାତ୍ର ଉପାୟ ଥିଲା ୟୁପିଏସସି । ସେଥିପାଇଁ କନେଷ୍ଟବଳ ଭାବେ କାର୍ଯ୍ୟ କରିବା ସହ ୟୁପିଏସସି ପରୀକ୍ଷା ପାଇଁ ମଧ୍ୟ ସେ ପ୍ରସ୍ତୁତି କରୁଥିଲେ ।

ତେବେ ପରୀକ୍ଷାକୁ ସେ ଯେତେ ସହଜ ଭାବୁଥିଲେ, ବାସ୍ତବରେ ସେତେ ସହଜ ନଥିଲା । ଫିରୋଜ କହିଛନ୍ତି, ସେ ବାରମ୍ବାର ଏହି ପରୀକ୍ଷାରେ ଫେଲ୍ ହେଉଥିଲେ । ଏପରିକି ୫,୫ ଥର ଫେଲ୍ ହେବା ପରେ ସେ ଅଫିସର ବନିବାର ଆଶା ଛାଡିଦେଇଥିଲେ । କିନ୍ତୁ ହାର ନମାନି କଠିନ ପରିଶ୍ରମ କରି ଷଷ୍ଠ ଥର ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ଫିରୋଜ । ଆଉ ୨୦୧୯ରେ ୬୪୫ ର୍ୟାଙ୍କ ରଖି ୟୁପିଏସସି ପାସ୍ କରିଥିଲେ । ଆଉ ଏବେ କନେଷ୍ଟବଳରୁ ବନିବାକୁ ଯାଉଛନ୍ତି ଆସିଷ୍ଟାଂଟ ପୋଲିସ କମିଶନର ।