ନାଗରିକତା ଆଇନ୍ ବିରୋଧରେ ଚାଲିଥିବା ଆନ୍ଦୋଳନସ୍ଥଳ ସାହିନବାଗକୁ ଖାଲି କଲା ପୁଲିସ: ଟେଣ୍ଟ ଭାଙ୍ଗି ପୁଲିସର କଡା ପହରା

୧୦୦ରୁ ଅଧିକ ଦିନ ଧରି ଚାଲିଥିଲା ଆନ୍ଦୋଳନ

1,155

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ସାହିନ ବାଗରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଆଜି ସକାଳେ ଖାଲି କରିଛି ପୁଲିସ । କଡା ସୁରକ୍ଷା ମଧ୍ୟରେ ଆନ୍ଦୋଳସ୍ଥଳର ଟେଂଟକୁ ହଟାଯାଇଛି । ଏହାସହ ସ୍ଥାନୀୟ ରାସ୍ତାକୁ ବି ଯାତାୟତ ପାଇଁ ଖୋଲାଯାଇଛି । କରୋନା ପାଇଁ ସ୍ଥାନୀୟ ଅଂଚଳରେ ୧୪୪ ଧାରା ଜାରି ରହିଥିବାରୁ ପୁଲିସ ଏକ ଘଂଟା ମଧ୍ୟରେ ସାହିନବାଗ ଅଂଚଳକୁ ଖାଲି କରାଇଥିଲା । ଧାରଣାସ୍ଥଳରେ ୬ ମହିଳା ଓ ୩ ପୁରୁଷକୁ ଅଟକ ରଖାଯାଇଥିଲା ।

ସ୍ଥାନୀୟ ଅଚଂଳରେ ପ୍ରଦର୍ଶନକାରୀ କିଛି ସମୟ ପାଇଁ ନାରାବାଜି କରିଥିଲେ । କିନ୍ତୁ ବର୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ପୁଲିସ ଧାରଣାସ୍ଥଳରେ ପଂହଚି ଦିଲ୍ଲୀ ଲକଡାଉନ ଥିବାରୁ ପ୍ରଦର୍ଶନକାରୀଙ୍କୁ ପୋଲିସ ହଟିଯିବାକୁ କହିଥିଲା । ଧାରଣାସ୍ଥଳରେ ମାତ୍ର ୫ ଜଣ ମହିଳା ଥିଲେ । ଦିଲ୍ଲୀ ଲକଡାଉନକୁ ପୂର୍ବରୁ ସାହିନବାଗ ଆନ୍ଦୋଳନକାରୀ ସମର୍ଥନ କରିଥିଲେ । ସାଙ୍କେତିକ ଧାରଣା ସ୍ୱରୂପ ୫ ଜଣ ମହିଳା ଧାରଣା ଦେଇଥିଲେ । ସାହିନବାଗରେ ଶହେରୁ ଅଧିକ ଦିନ ଧରି ନାଗରିକ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ ଚାଲିଥିଲା । ସାହିନବାଗ ଅଂଚଳ ପୁଲିସ ଛାଉଣୀରେ ପରିଣତ ହୋଇଛି ।