କନକ ବ୍ୟୁରୋ: ରାଜଧାନୀରେ ଅନ୍ତରାଷ୍ଟ୍ରୀୟ କିଡନୀ ରାକେଟର ପର୍ଦ୍ଦାଫାଶ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ ଏହି ମାମଲାରେ ଏକ ବଡ ହସ୍ପିଟାଲର ମହିଳା ଡାକ୍ତରଙ୍କ ସହ ୭ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମହିଳା ଡାକ୍ତର ଦିଲ୍ଲୀରେ ଚାଲୁଥିବା ଏହି ରାକେଟର ମୁଖ୍ୟ କାର୍ପଟଦାର, ଯିଏକି ପାଖାପାଖି ୧୬ଟି ଅପରେସନ କରି ଲୋକଙ୍କ ଶରୀରରୁ କିଡନୀ କାଢି ନେଉଥିବା ଜଣାପଡିଛି । ତେବେ ଏହି ଗୋଲକଧନ୍ଦା ବାଂଲାଦେଶରୁ ସଞ୍ଚାଳିତ ହେଉଥିବାବେଳେ ଏହାକୁ ଦିଲ୍ଲୀରେ କାର୍ଯ୍ୟକାରୀ କରାଯାଉଥିଲା ।

Advertisment

ସୂଚନା ମୁତାବକ, ଏହି ରାକେଟରେ ସମ୍ପୃକ୍ତ ଥିବା ଏକାଧିକ ବ୍ୟକ୍ତି ବାଂଲାଦେଶର କିଛି ଡାଇଲେସିସ୍ ସେଣ୍ଟରକୁ ଯାଉଥିଲେ । ସେଠାରେ କାହାର କିଡନୀ ଖରାପ ବୋଲି ଠିକଣା ଲଗାଉଥିଲେ ଏବଂ ନୂଆ କିଡନୀ ପାଇଁ ସେମାନେ କେତେ ଖର୍ଚ୍ଚ କରିପାରିବେ ତାହା ମଧ୍ୟ ବୁଝୁଥିଲେ । ଏହାପରେ ପ୍ଲାନିଙ୍ଗ କରୁଥିଲେ । ସେଠାକାର ଗରୀବ ବାଂଲାଦେଶୀ ଲୋକଙ୍କୁ ଚାକିରି ଦେବାର ଲୋଭ ଦେଖାଇ ଭାରତ ଆଣୁଥିଲେ । ଏଠାରେ ସେମାନଙ୍କର ଅପରେସନ୍ କରାଇ କିଡନୀ କାଢିନେଉଥିଲେ ଏବଂ ଏଠିକାର ଏକ ନାମୀ ଦାମୀ ହସ୍ପିଟାଲର ମହିଳା ଡାକ୍ତର ସେମାନଙ୍କ ଅପରେସନ୍ କରୁଥିଲେ । ମହିଳା ଡାକ୍ତର ଜଣକ ନିଜ ପର୍ସନାଲ ଆସିଷ୍ଟାଣ୍ଟଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ କହୁଥିଲେ ଏବଂ ସେଥିରୁ ନିଜ କ୍ୟାସ୍ କଲେକ୍ଟ କରୁଥିଲେ ।

ଏ ବାବଦରେ ପ୍ରଥମେ ରାଜସ୍ଥାନ ପୋଲିସ ଟେର ପାଇଥିଲା । ଏହାକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ଜଣାଇବା ପରେ ଆରମ୍ଭ ହୋଇଥଥିଲା ଖୋଳତାଡ ଏବଂ ପରେ ସବୁ ଘଟଣା ଜଣାପଡିିଥିଲା । ତେବେ ମହିଳା ଜଣକ ଯେଉଁ ନାମୀ ହସ୍ପିଟାଲରେ କାମ କରୁଥିଲେ ସେଠାରେ ସେ ଗେଷ୍ଟ ଡାକ୍ତର ଭାବେ କାମ କରୁଥିଲେ ଏବଂ ଏହି ଘଟଣା ପରେ ତାଙ୍କୁ କାମରୁ କାଢିଦିଆଯାଇଛି ବୋଲି ଉକ୍ତି ହସ୍ପିଟାଲ ପକ୍ଷରୁ ସଫେଇ ଦିଆଯାଇଛି । ତେବେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି ।