କନକ ବ୍ୟୁରୋ: ଦିଲ୍ଲୀରେ ଯମୁନାର ଜଳସ୍ତର କମୁଛି, ହେଲେ ଯାତନା ବଢ଼ୁଛି । ଫଳରେ ବନ୍ୟାରେ କଲବଲ ହେଉଛନ୍ତି ଦିଲ୍ଲୀବାସି । ଏବେବି ଦେଶର ରାଜଧାନୀ ଏକପ୍ରକାର ଜଳବନ୍ଦୀ ହୋଇ ରହିଛି । ହେଲେ ଧୀରେ ଧୀରେ ସ୍ଥିତି ସୁଧୁରିଛି । ଏପଟେ ବନ୍ୟା ସ୍ଥିତିକୁ ନେଇ ବିଜେପି ଓ ଆପ୍ ପରସ୍ପର ଉପରେ ଦୋଷ ଲଦୁଛନ୍ତି ।

Advertisment

ଯେଉଁଆଡ଼େ ଚାହିଁବ ଖାଲି ପାଣି ହିଁ ପାଣି । ରାସ୍ତାଘାଟ, ଗଳିକନ୍ଦି ସବୁଠି ଲହଡ଼ି ମାରୁଛି ବନ୍ୟା ଜଳ । ହୁଏତ କେହି କେବେ ଭାବି ନଥିବେ ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ । ହେଲେ ବନ୍ୟାର ଭୟବହତା ଯେପରି ସବୁ ଭରସା ଓ ଆକଳନକୁ ଭୁଲ ପ୍ରମାଣିତ କରିଦେଇଛି ।

ଯମୁନା ନଦୀର ଜଳସ୍ତର ଧୀରେ ଧୀରେ କମୁଛି । ହେଲେ ଏବେ ରାଜଧାନୀ ଦିଲ୍ଲୀର ବହୁ ଅଂଚଳର ପାଣି ଘେରରେ । ଏହି ୪ଟି ଚିତ୍ରକୁ ଦେଖନ୍ତୁ । ଦେଖନ୍ତୁ କିପରି ଏବେବି ପାଣି ଘେରରେ ଦିଲ୍ଲୀ ସହର ।

ଲାଲକିଲ୍ଲା
ଐତିହାସିକ ଲାଲକିଲ୍ଲା ବି ଏବେ ଜଳବନ୍ଦୀ । ଭିତରେ ପାଣି ପଶିଯାଇଛି । ଯେଉଁଠି ସବୁଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ, ଏବେ ସେହି ଲାଲକିଲ୍ଲା ତ୍ରାହି ତ୍ରାହି ଡାକୁଛି

ରାଜଘାଟ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟ ନିକଟରେ ବି ପାଣି । ସବୁଦିନ ଏଠାକୁ ବହୁ ସଂଖ୍ୟକ ଲୋକ ଆସନ୍ତି, ହେଲେ ବନ୍ୟା ସ୍ଥିତି ପାଇଁ ଏକପ୍ରକାର ବନ୍ଦ ରହିଛି ।

ଅକ୍ଷରଧାମ
ଦିଲ୍ଲୀର ଅନ୍ୟତମ ଆକର୍ଷଣର କେନ୍ଦ୍ର ଅକ୍ଷରଧାମ । ଏହାର ପାଶ୍ୱବର୍ତି ଅଂଚଳରେ କିପରି ବନ୍ୟା ରୂପ ନେଇଛି । ବିସ୍ତିର୍ଣ୍ଣ ବନ୍ୟା ଜଳ ଯେମିତି ସମୁଦ୍ରର ଭ୍ରମ ସୃଷ୍ଟି କରିଛି ।

ଆଇଟିଓ
ଆଇଟିଓ ମେଟ୍ରା ଷ୍ଟେସନ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି । ଯିବାଆସିବା ମୁସକିଲ ହୋଇପଡ଼ିଛି ।

ଜଳବନ୍ଦୀ ଅଂଚଳ ଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପରେ ବନ୍ୟା ପୀଡ଼ିତ ଆଶ୍ରୟ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାମ୍ପ ବୁଲି ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି । ଉପରାଜ୍ୟପାଳ ମଧ୍ୟ ବନ୍ୟାଜଳ ବୁଲି ଦେଖିଛନ୍ତି । ଏସବୁ ଭିତରେ ରାଜନୈତିକ ବୟାନବାଜି ଜାରି ରହିଛି । ଦିଲ୍ଲୀରେ ବନ୍ୟା ସ୍ଥିତି ଆପ୍ ଓ ବିଜେପି ପରସ୍ପର ଉପରେ ଦୋଷ ଲଦୁଛନ୍ତି । ଆପ୍ର ଅଭିଯୋଗ ହେଲା, ହଥ୍ନିକୁଣ୍ଡରୁ ଉତର ପ୍ରଦେଶ, ହରିୟାଣା ଓ ଦିଲ୍ଲୀକୁ ପାଣି ଛଡ଼ାଯାଏ, ହେଲେ ଏଥର କାହିଁକି କେବଳ ଦିଲ୍ଲୀକୁ ପାଣି ଛଡ଼ାଯାଇଛି । ସେପଟେ ବିଜେପି ଜବାବ ରଖି କହିଛି, କେଜ୍ରିୱାଲ ସରକାର ଦିଲ୍ଲୀର ଡ୍ରେନେଜ୍ ବ୍ୟବସ୍ଥା ପ୍ରତି ଆଖିବୁଜି ଦେଇଥିବାରୁ ଏଭଳି ଅବସ୍ଥା ହୋଇଛି । ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ରିଲିଫ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ସରକାର ।