ଅଣନିଶ୍ୱାସୀ ଦିଲ୍ଲୀବାସୀ: ରାସ୍ତାଘାଟକୁ ଢାଙ୍କି ରଖିଛି ଧୂଆଁର ଆସ୍ତରଣ, ୨ ଦିନିଆ ଲକଡାଉନ୍ ପାଇଁ ପରାମର୍ଶ

91

କନକ ବ୍ୟୁରୋ: ଦିଲ୍ଲୀରେ ଅସହ୍ୟ ଜନଜୀବନ । ରାସ୍ତାଘାଟକୁ ଢାଙ୍କିରଖିଛି ଧୁଆଁର ମୋଟା ଆସ୍ତରଣ । ନିଶ୍ୱାସ ନେବା ବି ଏବେ କଷ୍ଟକର ହୋଇ ପଡିଛି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ଦିଲ୍ଲୀ ସରକାରଙ୍କୁ ରାଜଧାନୀରେ ୨ ଦିନିଆ ଲକଡାଉନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ ବିଶ୍ୱର ୧୦ଟି ସର୍ବାଧିକ ପ୍ରଦୂଷିତ ସହର ଭିତରେ ରହିଛି ରାଜଧାନୀ ଦିଲ୍ଲୀ । ତେବେ ଏ ତାଲିକାରେ କେବଳ ଦିଲ୍ଲୀ ନୁହେଁ କୋଲକତା ଓ ମୁମ୍ବାଇ ମଧ୍ୟ ରହିଛି ।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା କମିବା ବଦଳରେ ବଢି ବଢି ଚାଲିଛି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀର ପ୍ରଦୂଷଣ ସମ୍ବଧିତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମଣା । ଏହାସହ ଦିଲ୍ଲୀର ନିମ୍ନଗାମୀ ବାୟୁ ମାନ ବିଷୟରେ ଆଲୋଚନା କରି କିପରି ନିଜେ ମଧ୍ୟ ଘରେ ମାସ୍କ ପରିଧାନ କରୁଛନ୍ତି ସେ ବିଷୟରେ କହିଛନ୍ତି । ସେହିପରି ସୋମବାର ସୁଦ୍ଧା ଏହି ସଂକ୍ରାନ୍ତରେ ନିଜର ଉତର ରଖିବାକୁ କହିଛନ୍ତି ସର୍ବୋଚ୍ଚ ନାୟାଳୟ । ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ପଚାରିବା ସହ ଦୁଇ ଦିନିଆ ଲକଡାଉନ ର ମଧ୍ୟ ପ୍ରସ୍ତାବ ପରୋକ୍ଷରେ ଦେଇଛନ୍ତି ।

ସେପଟେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଛି ରାଜଧାନୀ ଦିଲ୍ଲୀ । ବାୟୁର ମାନକୁ ନେଇ ହୋଇଥିବା ସର୍ଭେରେ ପ୍ରଦୂଷିତ ସହରଗୁଡିକ ମଧ୍ୟରେ ଶୀର୍ଷରେ ରହିଛି ଦିଲ୍ଲୀ । ତେବେ କୋଲକତା ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ଥିବାବେଳେ ମୁମ୍ବାଇ ଷଷ୍ଠ ସ୍ଥାନରେ ରହିଛି । ଖାସକରି ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସରକାରଙ୍କ ଚିନ୍ତା ବଢାଉଛି । ସାଧାରଣ ଜନଜୀବନ ଭାରିମାତ୍ରାରେ ପ୍ରଭାବିତ ହୋଇଛି । ତେବେ ପ୍ରଦୂଷଣ ପାଇଁ ପାଇଁ କେବଳ ନଡା ଜାଳିବାକୁ ନୁହେଁ ବରଂ ଦିପାବଳୀରେ ବାଣ ଫୁଟାଇବା ଏବଂ ମାତ୍ରାଧିକ ଗାଡି ମଟର ଚଳାଚଳକୁ କାରଣ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ ।

ଦିଲ୍ଲୀର ବାୟୁ ମାନ ଦିନକୁ ଦିନ ବିଗୁଡୁଥିବାରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ ବଡ ବଡ ଭିଆପି ବି ଏବେ ଚିନ୍ତାରେ । କାରଣ ବାୟୁ ପ୍ରଦୂଷଣ ପାଇଁ ଆଖିରେ ଜଳାପୋଡା ହେବା ସହ ବୟସ୍କଙ୍କଠାରୁ ଆରମ୍ଭ କରି ପିଲାଙ୍କ ଠାରେ ଶ୍ୱାସ ରୋଗର ସମସ୍ୟା ଦେଖାଦେଲାଣି । ଏବେ ଦେଖିବାକୁ ବାକିରହିଲା ସୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ପ୍ରଦୂଷଣ ରୋକିବା ପାଇଁ କେଜ୍ରିୱାଲ ସରକାର ଆଗକୁ କଣ ନିଷ୍ପତି ନେଉଛନ୍ତି ।