କନକ ବ୍ୟୁରୋ: ଆଗାମୀ ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ପାଇବା ପରେ ଦିଲ୍ଲୀରେ ଏବେଠୁ କଡାକଡି ହୋଇଯାଇଛି ସୁରକ୍ଷା ବ୍ୟବସ୍ଥା । ଏନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ରାଜଧାନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଗୁରୁବାର ଠାରୁ ଜାତୀୟ ରାଜଧାନୀ ୟୁଏଭି ସମେତ ପାରାଗ୍ଲାଇଡର, ହଟ୍ ଏୟାର ବେଲୁନ୍ ଓ ଅନ୍ୟନ୍ୟ ଅଣପାରମ୍ପରିକ ଉଡାଣକୁ ନିଷେଧ କରାଯାଇଛି । ଏହି କଟକଣା ଫେବୃଆରୀ ୧୫ ପର୍ଯ୍ୟନ୍ତ ଜାରି ରହିବ ।

ସାଧାରଣତନ୍ତ୍ର ଦିବସ ଅବସରରେ ସାଧାରଣ ଜନତା , ବିଶିଷ୍ଟ ବ୍ୟକ୍ତି ଓ ପ୍ରମୁଖ ପ୍ରତିଷ୍ଠାନ ଉପରେ ଅପରାଧୀ କିମ୍ବା ଅପରାଧୀକ ତତ୍ତ୍ୱ ଅଥବା ଆତଙ୍କବାଦୀ ଆକ୍ରମଣ କରିବା ସମ୍ଭାବନା ରହିଥିବାରୁ ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୁରକ୍ଷା କଡାକଡି କରାଯିବା ସହ ବିଭିନ୍ନ ସିସିଟିଭିରେ ଫେସିଆଲ ରେକଗନାଇଜେସନ୍ ସଫ୍ଟୱେର ଲଗାଯାଇଛି । ଦିଲ୍ଲୀ ପୋଲିସର ସମସ୍ତ ୟୁନିଟ ସହ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ସୁରକ୍ଷା ଦାୟି୍ବରେ ରହିବ । ଏହାସହ ଗଳି ଗଳିରେ ବ୍ୟାପକ ସଂଖ୍ୟାରେ ଅର୍ଦ୍ଧସାମରିକ ବଳ ନିୟୋଜିତ ହେବେ ।