କନକ ବ୍ୟୁରୋ : ଦିଲ୍ଲୀ ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଅଘଟଣ ମାମଲାରେ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ କୋଡିନେଟର୍ ଦେଶପାଲ ସିଂଙ୍କୁ ପୋଲିସ ଦ୍ୱାରା ଗିରଫ କରାଯାଇଛି । ପୋଲିସ ଏହି ମାମଲାକୁ ନେଇ ବିଏନଏସ୍ ଧାରା ୧୦୫, ୧୧୫/୨, ୨୯୦, ଏବଂ ୩୫ ଅନୁଯାୟୀ ମାମଲା ରୁଜୁ କରିଛି ।
ରାଜଧାନୀ ଦିଲ୍ଲୀର କୋଚିଂ ସେଣ୍ଟରରେ ଅଘଟଣ ମାମଲା ଏବେ ସାରା ଦେଶରେ ଚିନ୍ତାର ବିଷୟ ପାଲଟିଯାଇଛି । ବେସମେଣ୍ଟରେ ସ୍ବେରେଜ ପାଣି ପଶିଯିବାରୁ ୩ ଛାତ୍ର ମୃତ ହୋଇଥିବା ବେଳେ, ଅନେକ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ପହଁଚି ଏନଡିଆରଏଫ ମୃତଦେହ ଉଦ୍ଧାର କରିବା ସହ ଅନ୍ୟ ନିଖୋଜ ମାନଙ୍କୁ ଖୋଜାଖୋଜି କରୁଛି। ଦିଲ୍ଲୀ ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଏଭଳି ଦୁର୍ଘଟଣା ଘଟିଛି। ବେସମେଣ୍ଟରେ ଥିବା ଲାଇବ୍ରେରୀରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ସମୟରେ ହଠାତ ପାଣି ମାଡି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ରଛାତ୍ରୀ ମାନେ ଉପରକୁ ଆସିବାକୁ ସକ୍ଷମ ହୋଇନଥିଲେ। ଚାହୁଁ ଚାହୁଁ ବେସମେଣ୍ଟରେ ୧୨ଫୁଟ ଉଚ୍ଚର ପାଣି ଛୁଇଁ ସାରିଥିଲା। ଡ୍ରେନ କିମ୍ବା ସ୍ବେରେଜ୍ ଫାଟିଯିବା ଫଳରେ ବେସମେଣ୍ଟକୁ ପାଣି ମାଡ଼ିଆସିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି। ଏନଡିଆରଏଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ବେସମେଣ୍ଟରୁ ପାଣି ନିଷ୍କାସନ କରିବା ସହିତ ୩ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ବେସ ମେଣ୍ଟରେ ପାଣି ଆସିବା ପୂର୍ବରୁ ପ୍ରାୟ ୩୦ ଅଧିକ ଛାତ୍ରଛାତ୍ରୀ ଲାଇବ୍ରେରୀରେ ପାଠ ପଢୁଥିବା ବେଳେ ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ରହିଛନ୍ତି।
ତେବେ ଯେଉଁ ବେସମେଣ୍ଟକୁ ଲାଇବ୍ରେରୀ କରି ସେଠାରେ ଛାତ୍ରଛାତ୍ରୀଙ୍କ ପାଠ ପଢିବାର ବ୍ୟବସ୍ଥା କରାଯାଇଥିଲା, ବାସ୍ତବରେ ସେହି ବେସମେଣ୍ଟକୁ ଷ୍ଟୋରରୁମ୍ ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଥିଲା । କିନ୍ତୁ କୋଚିଂ ସେଣ୍ଟର ମାଲିକ ଏହାକୁ ଲାଇବ୍ରେରୀ ଭାବେ ବ୍ୟବହାର କରିଥିଲେ । ଆଉ ତା’ର ପରିଣାମ ଆଜି ନିରିହ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡିଛି । ଅନେକ ସ୍ୱପ୍ନ ନେଇ ଆସିଥିବା ଛାତ୍ରଛାତ୍ରୀଙ୍କ ଅକାଳରେ ଜୀବନ ଚାଲିଯାଇଛି । ଯାହାକୁ ନେଇ ଏବେ ଆନ୍ଦୋଳନ ତେଜିବାରେ ଲାଗିଛି । ରାଜରାସ୍ତାକୁ ୟୁପିଏସସି ଛାତ୍ରଛାତ୍ରୀ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ୧କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି ଉଠାଇଛନ୍ତି ।