କନକ ବ୍ୟୁରୋ: ଦିଲ୍ଲୀ ନଗର ନିଗମ ବା ଏମସିଡିର ମେୟର ପଦ ପାଇଁ ନିର୍ବାଚନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆଜି ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପରିଷଦଙ୍କ ଲଗାତର ଭାବେ ହୋହାଲ୍ଲା କାରଣରୁ ସଦନକୁ ସ୍ଥଗିତ ରଖାଯାଇଛି । ଆଜି ଦିଲ୍ଲୀ ନଗର ନିଗମର ମେୟର, ଉପ ମେୟର ଓ ସ୍ଥାୟୀ ସମିତିର ୬ଜଣ ସଦସ୍ୟଙ୍କ ପ୍ରତିଷ୍ଠିତ ପଦପାଇଁ ନିର୍ବାଚନ ହେବାକୁ ଥିଲା । ଦିଲ୍ଲୀ ନଗର ନିଗମର ୨୫୦ଜଣ ନିର୍ବାଚିତ ସଦସ୍ୟ ଶପଥ ନେଇସାରିଥିଲେ । ହେଲେ ଭୋଟିଂ ଆରମ୍ଭ ହେବା ପୂର୍ବରୁ ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ଏହାକୁ ନଜରରେ ରଖି ସଦନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆମ୍ ଆଦମୀ ପାର୍ଟିର ପାରିଷଦ ମୁକେଶ ଗୋଏଲ କହିଛନ୍ତି କି ଯେଉଁ ଲୋକମାନଙ୍କର ଭୋଟ ଦେବାର ଅଧିକାର ନାହିଁ ସେମାନଙ୍କୁ ବାହାରେ ବସାଇବାର ଥିଲା । ହେଲେ ସେମାନଙ୍କୁ ଭିତରକୁ ଆଣି ବିଜେପି ଏଭଳି ହୋ ହାଲ୍ଲା କରିଛି ।

Advertisment

ନିର୍ବାଚନକୁ ଦୃଷ୍ଟିରେ ରଖି ଏମସିଡି ମୁଖ୍ୟାଳୟ ବାହାରେ ଓ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ହେଲେ ବିଜେପି ସଦସ୍ୟ ଲଗାତର ଭାବେ ଏଭଳି ହୋ ହାଲ୍ଲା କଲେ ଯେ ପ୍ରୋଟନ ସ୍ପିକଟର ସତ୍ୟା ଶର୍ମା ପୁଣିଥରେ ନିର୍ବାଚନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି ।

ସେପଟେ ମେୟର ପଦ ପାଇଁ ଆମ୍ ଆଦମୀପାର୍ଟି ତରଫରୁ ଶୈଲୀ ଓବରାୟ ଓ ଉପ ମେୟର ପାଇଁ ଆଶୁ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ମେୟର ପଦ ପାଇଁ ରେଖା ଗୁପ୍ତା ଓ ଉପ ମେୟର ପଦପାଇଁ ମହମ୍ମଦ ଇକବାଲଙ୍କୁ ପ୍ରାର୍ଥୀ କରିଛି । ହେଲେ ସଂଖ୍ୟା ଗଣିତକୁ ଯଦି ହିସାବ କରାଯିବ ତେବେ ମେୟର ଓ ଉପ ମେୟର ପଦ ହାତେଇବା ପାଇଁ ଆମ୍ ଆଦମୀ ପାର୍ଟି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ।