କନକ ବ୍ୟୁରୋ: ସତ ହେଲା ଏଗଜିଟ ପୋଲ ଆକଳନ । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ, ଏମସିଡି ନିର୍ବାଚନରେ ବାଜି ମାରିଲା ଆମ୍ ଆଦମୀ ପାର୍ଟି । ଏମସିଡିରେ ୧୫ ବର୍ଷ ଧରି ରାଜୁତି କରିଆସୁଥିବା ବିଜେପିକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ । ମୋଟ୍ ୨୫୦ ମ୍ୟୁନିସପାଲ ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା ବେଳେ ଏଥିରୁ ୧୩୪ଟି ଆସନ ହାତେଇ ସଂଖ୍ୟା ଗରିଷ୍ଠ ଦଳ ପାଲଟିଛି ଆପ୍ । ବିଜେପିକୁ ୧୦୪ଟି ଆସନ ମିଳିଛି । କଂଗ୍ରେସକୁ କେବଳ ୯ଟି ଆସନ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୩ଟି ୱାର୍ଡ ହାତେଇଛନ୍ତି । ନିର୍ବାଚନରେ ବିଜୟ ପରେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଦିଲ୍ଲୀର ଉନ୍ନତି ପାଇଁ ବିଜେପି ଓ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Advertisment

ଏମସିଡି ନିର୍ବାଚନ - ୨୦୨୨
ଦଳ                 ଆସନ          ଭୋଟ୍ ପ୍ରତିଶତ
ଆପ୍               ୧୩୪            ୪୨.୦୫%
ବିଜେପି           ୧୦୪            ୩୯.୦୯%
କଂଗ୍ରେସ             ୯              ୧୧.୬୮%
ଅନ୍ୟାନ୍ୟ            ୩                ୭.୧୮%

ଏମସିଡି ନିର୍ବାଚନରେ ଆପ୍ ସଂଖ୍ୟା ଗରିଷ୍ଠ ଦଳ ପାଲଟିଛି । ମ୍ୟାଜିକ୍ ନମ୍ବର ୧୨୬ ଥିବା ବେଳେ ଏହାଠାରୁ ଅଧିକ ୮ଟି ୱାର୍ଡ ହାତେଇବାରେ ସଫଳ ହୋଇଛି ଆପ୍ । ହେଲେ ଏମସିଡିର ମେୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର । କାରଣ ଏବେ ନିର୍ବାଚିତ ହୋଇଥିବା କାଉନସିଲରମାନେ ଭୋଟ ଦେଇ ମେୟର ବାଛିବେ । ଦିଲ୍ଲୀର ଉପରାଜ୍ୟପାଳ ମଧ୍ୟ ୧୨ ଜଣ କାଉନସିଲରଙ୍କୁ ସିଧାସଳଖ ମନୋନୀତ କରିବେ । ଯଦି ଉପରାଜ୍ୟପାଳ ମନୋନୀତ କରିବାକୁ ଥିବା କାଉନସିଲର ବିଜେପିରୁ ହୁଅନ୍ତି, ତାହାହେଲେ ଆପ୍ ଓ ବିଜେପି ମଧ୍ୟରେ ସଂଖ୍ୟା ବ୍ୟବଧାନ କମିଯିବ । ଏପରି ସ୍ଥଳେ କ୍ରସ୍ ଭୋଟିଂର ମଧ୍ୟ ସମ୍ଭାବନା ରହିଛି । ଯଦି ବିଜେପି ଆପ୍ କିମ୍ବା କଂଗ୍ରେସର କିଛି କାଉନସିଲରଙ୍କୁ ନିଜ ସପକ୍ଷରେ କ୍ରସ୍ ଭୋଟିଂ କରାଇବାରେ ସଫଳ ହୁଏ, ତାହେଲେ ମେୟର ନିର୍ବାଚନ କଡ଼ା ଟକ୍କରରେ ପରିଣତ ହେବ । ସବୁଠୁ ବଡ଼ କଥା ହେଲା, ମେୟର ନିର୍ବାଚନ ବେଳେ ଯଦି କୌଣସି କାଉନସିଲର ନିଜ ଦଳ ବିରୋଧରେ ଯାଇ କ୍ରସ୍ ଭୋଟିଂ କରେ, ତାହେଲେ ତାଙ୍କ ବିରୋଧରେ ଆଂଟି ଡିଫେକସନ ଲ’ ବା ଦଳ-ବଦଳ ଆଇନ ଲାଗୁ ହେବ ନାହିଁ । ଏମସିଡି ନିର୍ବାଚନ ହାରିସାରିଥିଲେ ବି ମେୟର ପଦ ନିଜ ପାଖରେ ରଖିବାକୁ ଦୃଢ଼ୋକ୍ତି କରିଛି ବିଜେପି ।

ଜାତୀୟ ସ୍ତରରେ ବିଜେପି ପରେ କିଏ ନମ୍ବର ଦୁଇ ଦଳ ହେବ, ତାକୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ତେବେ ଏହି ରେସ୍ରେ ଆପ୍ ଆଗରେ ରହିଛି । ଦିଲ୍ଲୀ ଓ ପଂଜାବରେ ସରକାର ଗଢ଼ିବା ପରେ ଏବେ ଏମସିଡିରେ ଏହି ବିଜୟ ଆପ୍ ଓ ଅରବିନ୍ଦ କେଜ୍ରିୱାଲଙ୍କ ଜାତୀୟ ସ୍ତରରେ ପ୍ରତିଷ୍ଠା ବଢ଼ାଇଦେଇଛି ।