ଦିଲ୍ଲୀ ନଗର ନିଗମ ଉପ-ନିର୍ବାଚନ ଫଳାଫଳ : ୫ ଆସନରୁ ୪ଟିରେ ଆପ୍ ର ବାଜିମାତ, ଗୋଟିଏରେ କଂଗ୍ରେସ, ବିଜେପିର ହାତ ଖାଲି

773

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ମୋଟ ୫ ଟି ଆସନରୁ ଆମ୍ ଆଦମୀ ପାର୍ଟି ୪ ଟି ଆସନରେ ବିଜୟଲାଭ କରିଥିବା ବେଳେ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି । ତ୍ରୈଲୋକ୍ୟପୁରୀ, ରୋହିଣୀ, କଲ୍ୟାଣପୁରୀ ଓ ଶାଲିମାର ବାଗ ଆସନରେ ଆପ୍ ବାଜିମାତ୍ କରିଥିବା ବେଳେ ଚୌହାନ ବାଙ୍ଗଡ ଆସନରେ କଂଗ୍ରେସ ବିଜୟୀ ହୋଇଛି ।

ତ୍ରୈଲୋକ୍ୟପୁରୀ ଆସନରୁ ଆପ୍ ପ୍ରାର୍ଥୀ ବିଜୟ କୁମାର ୪୯୮୬ ଭୋଟରେ ବିଜୟୀ ହୋଇଥିବା ବେଳେ ରୋହିଣୀ ଆସନରୁ ଆପ୍ ପ୍ରାର୍ଥୀ ରାମଚନ୍ଦ୍ର କୋ ୨୯୮୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିଭଳି ଶାଲିମାର ବାଗ ଆସନରୁ ଆପ୍ ପ୍ରାର୍ଥୀ ସୁନିତା ମିଶ୍ରା ୨୭୦୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ଚୌହାନ ବାଙ୍ଗଡ ଆସନରୁ କଂଗ୍ରେସ ପ୍ରାର୍ଥୀ ଚୌଧୁରୀ ଜୁବେର ଅହମ୍ମଦ ବିଜୟୀ ହୋଇଛନ୍ତି । ଅନ୍ୟପଟେ କଲ୍ୟାଣପୁରୀ ଆସନରୁ ଆପ୍ ପ୍ରାର୍ଥୀ ଧିରେନ୍ଦ୍ର କୁମାର କୋ ୭୦୪୩ ଖଣ୍ଡ ଭୋଟରେ ବିଜୟଲାଭ କରିଛନ୍ତି ।

ଏହି ବିଜୟ ପରେ ଆମ୍ ଆଦମୀ ପାର୍ଟିର କର୍ମକତ୍ତା ମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଆପ୍ କର୍ମକର୍ତ୍ତା କହିଛନ୍ତି କି ‘ହୋଇଗଲା କାମ, ଜୟ ଶ୍ରୀରାମ’ । ଏନେଇ ଆପ୍ ନେତା ଦୁର୍ଗେସ୍ ପାଠକ କହିଛନ୍ତି କି ୨୦୨୨ ରେ ହେବାକୁ ଥିବା ନଗର ନିଗମ ନିର୍ବାଚନ ପୂର୍ବରୁ ଏହା ସେମି ଫାଇନାଲ ଥିଲା, ଯାହାର ସମ୍ପୂର୍ଣ୍ଣ ଚିତ୍ର ୨୦୨୨ ନିର୍ବାଚନରେ ଦେଖିବାକୁ ମିଳିବ । ଅନ୍ୟପଟେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟଲାଭ କରିଥିବା ବେଳେ କେନ୍ଦ୍ର ଶାସନ କ୍ଷମତାରେ ଥିବା ବିଜେପିର ହାତ ଶୂନ୍ୟ ହୋଇଯାଇଛି ।