କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନକୁ ନେଇ ବିଜେପିକୁ ବଡ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି କି ମେୟର ନିର୍ବାଚନରେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ପାରିଷଦମାନେ ଭୋଟ ଦେଇପାରିବେ ନାହିଁ । ମେୟର ଓ ଡେପୁଟୀ ମେୟର ନିର୍ବାଚନରେ ମନୋନୀତ ସଦସ୍ୟଙ୍କୁ ଭୋଟ ଦେବାକୁ ଅନୁମତି ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ । ଏହାକୁ ନେଇ ଆମ୍ ଆଦମୀ ପାର୍ଟିର ନେତା ଡ.ଶୈଲୀ ଓବରାୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି କି ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ପାରିଷଦମାନେ ଭୋଟ ଦେଇପାରିବେ ନାହିଁ । ଏହା ବ୍ୟତୀତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କହିଛନ୍ତି କି, ଦେଶର ରାଜଧାନୀରେ ଏଭଳି ଘଟିବା ତାଙ୍କୁ ଭଲ ଲଙ୍କଜ୍ଞରନାହିଁ ।

Advertisment

କୋର୍ଟ କହିଛନ୍ତି କି ସମ୍ବିଧାନର ଅନୁଛେଦ ୨୪୩ଆର ମୁତାବକ ମନୋନୀତ ପାରିଷଦମାନେ ଭୋଟ ଦେଇପାରିବେ ନାହିଁ । ଏହାସହ ତୁରନ୍ତ ମେୟର ନିର୍ବାଚନ କରିବାକୁ କୋର୍ଟ କହିଛନ୍ତି । ଆପ୍ ତରଫରୁ ବରିଷ୍ଠ ଓକିଲ ଅଭିଶେକ ମନୁ ସଂଘଭୀ ମାମଲା ଲଢୁଛନ୍ତି ।

ସୂଚନା ଥାଉକି ଦିଲ୍ଲୀ ଏମସିଡି ନିର୍ବାଚନ ପରେ ମେୟର ଓ ଡେପୁଟୀ ମେୟର ନିର୍ବାଚନ ହେବା କଥା । ହେଲେ ଏନେଇ ୩ଥର ବୈଠକ ହୋଇଥିଲେ ବି ତାହା ସମ୍ଭବ ହୋଇପାରି ନଥିଲା । ଦିଲ୍ଲୀ ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ପାରିଷଦମାନେ ପ୍ରଥମେ ଭୋଟ ଦେବାକୁ ବିଜେପି ଅଡି ବସିଥିବା ବେଳେ ଏହାକୁ ଆମ ଆଦମୀ ପାର୍ଟି ଗ୍ରହଣ କରିନଥିଲା ।