କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ଦୈନିକ ସଂକ୍ରମଣ ରେକର୍ଡ କରିଛି । ରବିବାର ୨୨ ହଜାର ୭୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବଦିନ ଅପକ୍ଷୋ ୧୨ ପ୍ରତିଶତ ଅଧିକ ରହିଛି । ଶନିବାର ଦିଲ୍ଲୀରେ ୨୦ ହଜାର ୧୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା । ସେହିପରି ରବିବାର ୧୭ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ବଢିଛି । ରବିବାର ୪୪ ହଜାର ୩୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ମୋଟ୍ ୨୦ ହଜାର ୩୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ରବିବାର ଗୋଟିଏ ଦିନରେ ୨୦୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ହଜାର ୨୧୬ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜାନୁଆରି ଶେଷ ସୁଦ୍ଧା ଦେଶରେ ତୃତୀୟ ଲହର ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୪ରୁ ୮ ଲକ୍ଷରେ ପହଞ୍ଚିବ ବୋଲି ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି । ମୁମ୍ବାଇ ଏବଂ ଦିଲ୍ଲୀରେ ତୃତୀୟ ଲହର ସଂକ୍ରମଣ ଆସନ୍ତା ସପ୍ତାହରେ ଶୀର୍ଷ ଛୁଇଁବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଭାରତୀୟ ଭେଷଜ ଗବେଷଣା ପରିଷଦର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ସମୀରଣ ପଣ୍ଡା କହିଛନ୍ତି ଯେ ଦେଶରେ ସକ୍ରିୟ ମାମଲା ୩ ମାସରେ ସଂପୂର୍ଣ୍ଣ ଖସିଆସିବ ଏବଂ ତୃତୀୟ ଲହର ଶେଷ ହେବ। ତୃତୀୟ ଲହରର ଶୀର୍ଷ ଖୁବ୍ଶୀଘ୍ର ଆସିବାକୁ ଯାଉଥିବାରୁ ଏଥିପାଇଁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି । ଓମିକ୍ରନ୍ର ୫୦ ପ୍ରତିଶତରୁ ଅଧିକ ମାମଲା ବଡ଼ ସହରରେ ଚିହ୍ନଟ ହେଉଛି ଏବଂ ତୃତୀୟ ଲହରରେ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ପୂର୍ବ ଲହର ତୁଳନାରେ ଯଥେଷ୍ଟ କମ୍ ରହିବ ବୋଲି ସେ କହିଛନ୍ତି ।
କରୋନାର ଜାତୀୟ ବୈଷୟିକ ଉପଦେଷ୍ଟା ଗ୍ରୁପ୍ର ଅଧ୍ୟକ୍ଷ ଡାକ୍ତର ଏନ୍କେ ଆରରୋ ମଧ୍ୟ ତୃତୀୟ ଲହରର ଶୀର୍ଷକୁ ନେଇ ଏଭଳି ମତ ରଖିଛନ୍ତି । ଓମିକ୍ରନ୍ର ବୈଶ୍ବିକ ତଥ୍ୟ ଏବଂ ବିଗତ ୫ ସପ୍ତାହରେ ଏ ବାବଦ ଅଧ୍ୟୟନରୁ ଜଣାପଡ଼ିଛି ଯେ ଓମିକ୍ରନ୍ ସଂକ୍ରମଣ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ବହୁତ ସାଧାରଣ ଏବଂ ଲକ୍ଷଣ ବିହୀନ ରହିବ । ଏବେ ଓମିକ୍ରନ୍ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ୧-୨ ପ୍ରତିଶତ ରହିଛି । ପୂର୍ବରୁ ଡେଲ୍ଟା ଲହର ତୁଳନାରେ ଏହାର ପ୍ରଭାବ ଯଥେଷ୍ଟ୍ କମ୍ ରହିଥିବା ପ୍ରମାଣିତ ହୋଇସାରିଛି । ଡାକ୍ତର ଆରୋରା କହିଛନ୍ତି ଯେ ଦେଶରେ ୮୦ ପ୍ରତିଶତରୁ ଅଧିକ ଲୋକ ଭାଇରସ୍ ଦ୍ବାରା ସ୍ବାଭାବିକ ଭାବେ ସଂକ୍ରମିତ ହୋଇଛନ୍ତି । ୧୮ ବର୍ଷରୁ ଅଧିକ ଆୟୁ ବର୍ଗର ୯୧ ପ୍ରତିଶତରୁ ଅଧିକ ଲୋକ ଅତି କମ୍ରେ ଗୋଟିଏ ଡୋଜ୍ କୋଭିଡ୍ ଟିକା ନେଇସାରିଛନ୍ତି। ଏହା ସହିତ ୬୬ ପ୍ରତିଶତ ଲୋକ ସଂପୂର୍ଣ୍ଣ ଡୋଜ୍ ନେଇସାରିଛନ୍ତି। ତେଣୁ ତୃତୀୟ ଲହରର ପ୍ରଭାବ ଅଧିକ ଦିନ ରହିବ ନାହିଁ ବୋଲି ସେ କହିଛନ୍ତି ।