କନକ ବ୍ୟୁରୋ : ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗିଛି । ବୁଧବାର ମହାରାଷ୍ଟ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ମୋଟ୍ ୨୬ ହଜାର ୫୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୮ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭ ଛୁଇଁଛି । ସେହିପରି ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ।

Advertisment

ଗତବର୍ଷ ମେ ୧୨ ପରେ ବୁଧବାର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ଗୋଟିଏ ଦିନରେ ୧୦ ହଜାର ୬୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଏହି ସଂଖ୍ୟା ୫ ହଜାର ୪୮୧ ଥଲା । ମଙ୍ଗଳବାର ତୁଳନାରେ ବୁଧବାର ୯୪ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଜୁନ୍ ୨୬ ପରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଅନ୍ୟପଟେ ଓମିକ୍ରନରେ ଆକ୍ରାନ୍ତ ହୋଇ ରାଜସ୍ଥାନରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।

ବୁଧବାର ପଶ୍ଚିମବଙ୍ଗରେ ମଧ୍ୟ ୧୪ ହଜାର ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ତୁଳନାରେ ୫ ହଜାର ସଂକ୍ରମିତ ଅଧିକ ଚିହ୍ନଟ ହୋଇଛନ୍ତି । ନିକଟରେ ମୁମ୍ବାଇର ମେୟର କିଶୋରୀ ପେଡନେକର କହିଥିଲେ ରାଜ୍ୟରେ ଯଦି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଉପରେ ରହିବ ତାହେଲେ ମୁମ୍ବାଇରେ ଲକଡାଉନ୍ ଲାଗୁ କରିବାକୁ ଚିନ୍ତା କରାଯିବ । ତେଣୁ ଏବେ ମୁମ୍ବାଇରେ ଲକଡାଉନ୍ ହେବ କି ବୋଲି ପ୍ରଶ୍ନ ଉଠିଛି ।