ନିର୍ବାଚନୀ ରଣାଙ୍ଗନର ରୋଚକ ତଥ୍ୟ । ଦିଲ୍ଲୀ ଉପରେ ଯିଏ କରିବ ରାଜ୍, ତାକୁ ହିଁ ମିଳିବ ହିନ୍ଦୁସ୍ତାନର ତାଜ୍ ।

589

କନକ ବ୍ୟୁରୋ : ୧୯ ଯୁଦ୍ଧର ଶେଷ ଦୁଇଟି ପର୍ଯ୍ୟାୟ ଲଢେଇ ବାକି ରହିଥିବା ବେଳେ ସରଗରମ ହୋଇଛି ଜାତୀୟ ରାଜନୀତି । ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ସର୍ଭେର ଆକଳନ ଓ ନେତାଙ୍କ ଦମ୍ଭୋକ୍ତି ଭିତରେ ଅପେକ୍ଷା ଆସନ୍ତା ମେ ମାସ ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି । କାହାକୁ ମିଳୁଛି ଜନତାଙ୍କ ସମର୍ଥନ ଆଉ କିଏ ସମ୍ଭାଳିବ ଦେଶର ଶାସନଭାର ।

କୁହାଯାଏ, ଦେଶର ରାଜଧାନୀ ଦିଲ୍ଲୀର ୭ଟି ଲୋକସଭା ଆସନ, ପୁରା ଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ବର୍ଣ୍ଣିତ କରିଥାଏ । ଯଦି ଗତ ୨୨ ବର୍ଷର ଇତିହାସ ଉପରେ ନଜର ପକାଇବା, ତେବେ ଭାରତବର୍ଷର ସତ୍ତାରେ ସେହି ପାର୍ଟି ହିଁ ରାଜ କରିଛି, ଯିଏ ଲୋକସଭା ନିର୍ବାଚନରେ ଦିଲ୍ଲୀ ଜନତାଙ୍କର ବିଶ୍ୱାସ ଜିତିପାରିଛି । ଆଉ ଏହାରି ଭିତରେ ଦିଲ୍ଲୀ ଜନତା କେତେବେଳେ କଂଗ୍ରେସ ହାତରେ ତ ଆଉ କେତେବେଳେ ବିଜେପି ହାତରେ ଦେଇଛନ୍ତି ଦେଶର ଶାସନଭାର ।

୨୦୧୪ ଲୋକସଭା ନିର୍ବାଚନରେ, ଦିଲ୍ଲୀର ୭ଟି ଆସନକୁ କବଜା କରିଥିଲା ଭାରତୀୟ ଜନତା ପାର୍ଟି । ଆଉ କେନ୍ଦ୍ରରେ କ୍ଷମତାକୁ ଆସିଥିଲା ମୋଦିଙ୍କ ସରକାର । ସେହିପରି ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ଉପରେ ଆସ୍ଥାପ୍ରକଟ କରିଥିଲେ ଦିଲ୍ଲୀବାସୀ । ସମସ୍ତ ୭ଟି ଲୋକସଭା ଆସନରେ ଦଳ ବିଜୟଲାଭ କରିଥିଲା ଏବଂ କେନ୍ଦ୍ରରେ ସରକାର ମଧ୍ୟ ଗଢିଥିଲା ।

ଯଦି ଗତ ନିର୍ବାଚନର ଫଳାଫଳ ଆଉ ରାଜନୈତିକ ଇତିହାସକୁ ବିଶ୍ୱାସକୁ ନିଆଯାଏ, ତେବେ ଚଳିତ ନିର୍ବାଚନରେ ଦିଲ୍ଲୀର ୭ଟି ଆସନ ଯେଉଁ ଦଳ କବଜା କରିବ, ହୁଏତ ଦେଶରେ ସେହି ଦଳ ସରକାର ଗଢିପାରେ । ଗୋଟିଏ ପଟେ ଦେଶରେ ମୋଦି ହାୱା ବିରୋଧୀଙ୍କ ମାତ୍ ଦେବା ପାଇଁ ଯଥେଷ୍ଟ ବୋଲି ବିଜେପି କହୁଥିବା ବେଳେ ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବ୍ରାଣ୍ଡ ଫେସ୍ କରି ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହେବା ପାଇଁ ଜୋରଦାର କସରତ କରିଛି କଂଗ୍ରେସ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ଦଳ ଯେଉଁଭଳି ବଡ ବିଜୟ ଲାଭ କଲା, ତାହା ହୁଏତ କଂଗ୍ରେସର ମନୋବଳକୁ ଦ୍ୱିଗୁଣିତ କରିଛି । ତେବେ ଏହାରି ଭିତରେ ଅପେକ୍ଷା ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ, ପୁଣି ଥରେ ଦେଶରେ ମୋଦି ମ୍ୟାଜିକ କାମ କରିବ ନା ବିଜେପିକୁ ମାତ୍ ଦେବାରେ ସଫଳ ହେବ କଂଗ୍ରେସ ।