ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ବଡ ଝଟକା । ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

180

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ କଥିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଝଟକା ଲାଗିଛି । ରାୱଜ ଏଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି । ସୂଚନା ଥାଉକି ସଂପୃକ୍ତ ମାମଲାରେ ସିବିଆଇ ଆଜି କେଜ୍ରିୱାଲଙ୍କ ୩ ଦିନିଆ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କରିଥିଲେ । ସେଠାରେ ସବିଆଇ କହିଥିଲା କି, ଆଉ ରିମାଣ୍ଡର ଆବଶ୍ୟକତା ନାହିଁ । ଏହାସହ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା । କୋର୍ଟ ସିବିଆଇର ଅନୁରୋଧ ଉପରେ ବିଚାର କରି କେଜ୍ରିୱାଲଙ୍କୁ ଆଉ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।

ସିବିଆଇ ତରଫରୁ କୋର୍ଟରେ ଯେଉଁ ଦଲିଲ୍ ଦିଆଯାଇଥିଲା ସେଥିରେ ଉଲ୍ଲେଖ ରହିଛି କି, ଯେତେବେଳେ ଦେଶରେ କରୋନା ମହାମାରୀ ବ୍ୟାପୁଥିଲା, ସେତେବେଳେ ଦିଲ୍ଲୀ କ୍ୟାବିନେଟରେ ଅବକାରୀ ନୀତିର ପରିବର୍ତ୍ତନର କ’ଣ ଆବଶ୍ୟକତା ଥିଲା । ଅବକାରୀ ନୀତିକୁ ଲାଗୁ କରିବା ନେଇ କେଜ୍ରିୱାଲ କ୍ୟାବିନେଟ ଏତେ ବ୍ୟସ୍ତ କାହିଁକି ଥିଲା । ସବିଆଇ କହିଛି କି, ସାଉଥ୍ ଲବି ସହିତ ଜଡିତ ଅଭିଯୁକ୍ତ ଦିଲ୍ଲୀରେ ରହିଥିଲେ, ସେ କେଜ୍ରିୱାଲଙ୍କ ସଂପର୍କୀୟ ବିଜୟ ନାୟାରଙ୍କ ସଂପର୍କରେ ଥିଲେ । ସବିଆଇ ଅଭିଯୋଗ କରିଛି କି, ଜେରା ବେଳେ କେଜ୍ରିୱାଲ ବିଜୟ ନାୟାରଙ୍କ ସହ ବୈଠକ, କୋଟି କୋଟି ଟଙ୍କାର ଚାନ୍ଦା, ଗୋଆ ନିର୍ବାଚନରେ ୪୪ କୋଟି ଟଙ୍କା ଖର୍ଚ୍ଚ ଭଳି ପ୍ରଶ୍ନର ଜବାବ ଦେଇନାହାଁନ୍ତି ।