କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାକୁ ନେଇ ଅଡୁଆରେ ପଡିଛି ଆମ୍ ଆଦମୀ ପାର୍ଟି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଆଜି ସିବିଆଇରେ ହାଜର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ଆଜି ସିର୍ବିଆଇ କାର୍ଯ୍ୟାଳୟ ଯିବା ପୂର୍ବରୁ ପ୍ରଥମେ ରାଜଘାଟ ଯାଇ ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧୀପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ସେ କହିଛନ୍ତି ଅତ୍ୟାଚାର ବିରୋଧରେ ସର୍ବଦା ସତ୍ୟର ଜୟ ହୋଇଛି । କହିରଖୁ କି ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମରଥର ପାଇଁ ସିବିଆଇ ତରଫରୁ ଆଜି କେଜ୍ରିୱାଲଙ୍କୁ ଜେରା କରାଯିବ । ଏହାକୁ ନଜରରେ ରଖି ସିବିଆଇ କାର୍ଯ୍ୟାଳୟ ଓ କେଜ୍ରିୱାଲଙ୍କ ବାସଭବନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Advertisment

ଅନ୍ୟପଟେ କେଜ୍ରିୱାଲଙ୍କୁ ଦେଖା କରିବାକୁ ଆସୁଥିବା ପଞ୍ଜାବ ଶିକ୍ଷାମନ୍ତ୍ରୀ ହରଜୋତ ସିଂଙ୍କୁ ସୀମା ନିକଟରେ ଅଟକାଇଥିଲା ପୋଲିସ । ଏନେଇ ପଞ୍ଜାବ ଆପ୍ ପକ୍ଷରୁ ଟ୍ୱିଟ୍ କରାଯାଇ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରାଯାଇଛି । ଟ୍ୱିଟରେ କୁହାଯାଇଛି କି ଏକଛତ୍ରବାଦ ଶାସକ ମୁଣ୍ଡରେ ଏବେ କ୍ଷମତାର ନିଶା ଘାରିଛି । ପ୍ରଧାନମନ୍ତ୍ରୀ ସମ୍ବିଧାନ ବିରୋଧରେ ଯାଇ ଲୋକତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ଟ୍ୱିଟରେ କୁହାଯାଇଛି ।

ସେପଟେ ହଜାର ହଜାର ସମର୍ଥକଙ୍କ ଗହଣରେ ସିବିଆଇ କାର୍ଯ୍ୟାଳୟରେ ପହଂଚିଛନ୍ତି ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ସମର୍ଥକଙ୍କ ଭିଡ ଦେଖି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏହାସହ ସିବିଆଇ ଦପ୍ତର ବାହାରେ ମଧ୍ୟ ଦିଲ୍ଲୀ ପୋଲିସ ସହ ଅର୍ଦ୍ଧସାମରିକ ବଳ ନିୟୋଜିତ କରାଯାଇଛି ।