କନକ ବ୍ୟୁରୋ: ଦିଲ୍ଲୀରେ ଲାଗୁହେବ ଗୁଜରାଟର ଆଇନ୍ । ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ଦ ଗୁଜରାଟ ପ୍ରଭେନ୍ସନ୍ ଅଫ୍ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟି ଆକ୍ଟ ୧୯୮୫’ ଲାଗୁ କରିବାକୁ ସୁପାରିଶ କରିଛନ୍ତି । ଏ ସମ୍ପର୍କରେ ସେ ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ ମଧ୍ୟ ପଠାଇଛନ୍ତି । ତେବେ ଜାଣନ୍ତୁ, କଣ ଏହି, ‘ଦ ଗୁଜରାଟ ପ୍ରଭେନ୍ସନ୍ ଅଫ୍ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟି ଆକ୍ଟ ୧୯୮୫’?

Advertisment

ଏହି ଆଇନ୍ ଅନୁସାରେ, ସାର୍ବଜନୀନ ବ୍ୟବସ୍ଥାକୁ ସଠିକ୍ ରଖିବାକୁ ଦୁର୍ଦ୍ଦାନ୍ତ ଅପରାଧୀ, ମଦ ବିକ୍ରି କରୁଥିବା ଲୋକ, ନିଶାଖୋର ଅପରାଧୀ, ଟ୍ରାଫିକ୍ ଆଇନ୍ ଭାଙ୍ଗୁଥିବା ଲୋକ ଏବଂ ସମ୍ପତି ହଡପ କରୁଥିବା ଲୋକଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରିବ । ତେବେ ଗୁଜରାଟରେ ଲାଗୁ ହେଇଥିବା ଏହି ଆଇନକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି । ରାଜନୈତିକ ଏବଂ ସାମାଜିକ ସଙ୍ଗଠନମାନେ ଏହି ଆଇନକୁ ରଦ୍ଦ କରିବାକୁ ଅନେକ ଥର ଦାବି କରିସାରିଛନ୍ତି । ହେଲେ ଏବେ ଦିଲ୍ଲୀ ଉପରାଜ୍ୟପାଳ ଖୋଦ୍ ଏହି ଆଇନକୁ ରାଜଧାନୀ ଦିଲ୍ଲୀରେ ଲାଗୁ କରିବାକୁ ସୁପାରିଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ମେ ମାସରେ ଗୁଜରାଟ ସରକାର ଅସାମାଜିକ ଗତିବିଧି ରୋକିବା ପାଇଁ ଏକ ଗାଇଡଲାଇନ୍ ଜାରି କରିଥିଲେ । ଏହାପରେ ମେ ୩ ତାରିଖରେ ଗୁଜରାଟର ଗୃହ ବିଭାଗ ଅଧିକାରୀମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଥିଲେ ।