ପୁଣି ଚର୍ଚ୍ଚାରେ ମାଲକାନଗିରି: ପଲ୍ଲୀରେ ଦିଲ୍ଲୀର ଅନୁଭୂତି…ଚନ୍ଦ୍ରାୟନ, ରେଳଗାଡି, ଉଡାଜାହାଜ ପରେ ଏବେ ଲାଲକିଲ୍ଲା ଭିତରେ ବସି ପାଠପଢାର ମଜା ନେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ

ଆଦିବାସୀ ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ମାଲକାନଗିରି ମାଥିଲିରେ ଭିନ୍ନ ଉଦ୍ୟମ

284

କନକ ବ୍ୟୁରୋ: ଚର୍ଚ୍ଚାରେ ପୁଣି ମାଲକାନଗିରି ଜିଲ୍ଲା । ଦିଲ୍ଲୀର ଅନୁଭୂତି ପଲ୍ଲୀରେ ସୃଷ୍ଟି କରିଛି ପ୍ରେରଣା । ଆଦିବାସୀ ପିଲାମାନଙ୍କୁ ବିଦ୍ୟାଳୟ ମୁହାଁ କରାଇବାକୁ ଚିତ୍ରଣ ହୋଇଛି ଲାଲକିଲ୍ଲା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ବ୍ଲକ କଲୋନୀରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଲକିଲ୍ଲାର ଚିତ୍ର ଆଙ୍କି ଆଦିବାସୀ ପିଲାମାନଙ୍କୁ ସ୍କୁଲ ଆସିବାରେ ଉତ୍ସାହ ବଢାଇଛି ମାଥିଲି ପଂଚାୟତ । ଚନ୍ଦ୍ରାୟନ , ରେଳଗାଡି , ଉଡାଜାହାଜ ପରେ ଲାଲକିଲ୍ଲା ଭିତରେ ବସି ପାଠପଢାର ମଜା ନେଉଛନ୍ତି ଛାତ୍ରଛାତ୍ରୀ ।

 

ଉପସ୍ଥାନ ବଢାଉଛି ଲାଲକିଲ୍ଲା । ଦିଲ୍ଲୀର ଲାଲକିଲ୍ଲାକୁ ନେଇ ଏବେ ପଲ୍ଲୀରେ ଚର୍ଚ୍ଚା । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ବିଦ୍ୟାଳୟ ମୁହାଁ କରାଇବାକୁ ଏପରି ଅଭିନବ ପ୍ରୟାସ ଆରମ୍ଭ କରିଛି ପ୍ରଶାସନ  । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର କଲୋନୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ କାନ୍ଥ ପାଲଟିଛି ଲାଲକିଲ୍ଲା । ଭିନ୍ନ ଢଙ୍ଗରେ ଚିତ୍ରଣ କରି ଆଦିବାସୀ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବାକୁ ଉଦ୍ୟମ କରିଛି ପ୍ରଶାସନ । ପିଲାଙ୍କ ଉପସ୍ଥାନ ବଢାଇବାକୁ ଏପରି ନିଆରା ପଦକ୍ଷେପ ହୋଇଛି । ଦିଲ୍ଲୀ ଲାଲକିଲ୍ଲାକୁ ବିଦ୍ୟାଳୟ କାନ୍ଥରେ ଚିତ୍ରିତ କରିବା ପରେ ଦିନକୁ ଦିନ ପିଲାମାନଙ୍କ ଉପସ୍ଥାନ ମଧ୍ୟ ବଢିବାରେ ଲାଗିଛି  । ଆଦିବାସୀ ଇଲାକାରେ ନିଆରା ଭାବେ ଏହି ଚିତ୍ରକୁ ସ୍ଥାନ ଦେବାରୁ  ଲାଲକିଲ୍ଲା ଭିତରେ ବସି  ପାଠ ପଢିବାକୁ ପିଲାମାନେ ମନ ବଳାଉଛନ୍ତି । ଆଗ୍ରହରେ ପ୍ରତିଦିନ ବିଦ୍ୟାଳୟକୁ ମଧ୍ୟ ଆସୁଛନ୍ତି ।

ଆଦିବାସୀ ଗାଁରେ ସଫଳ କରିଛି ଲାଲକିଲ୍ଲା । ଆକର୍ଷିତ କରୁଛି ଦିଲ୍ଲୀର ଲାଲକିଲ୍ଲା । ଲାଲକିଲ୍ଲା ଶ୍ରେଣୀଗୃହ ଭିତରେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ମନୋରମ ବିଦ୍ୟାଳୟର ପରିବେଶରେ ବିଦ୍ୟାଳୟର ଲାଲକିଲ୍ଲା ଭିତରେ ବସିି ପାଠ ପଢାର ମଜା ନେଉଛନ୍ତି  ଆଦିବାସୀ ଛାତ୍ରଛାତ୍ରୀ । କ୍ଷଣକ ସମୟକୁ ବି ହାତ ଛଡା କରିବାକୁ ପଛାଉନାହାନ୍ତି ଏମାନେ । ଲାଲକିଲ୍ଲା କିଏ ଗଢିଥିଲା, କାହିଁକି ହୋଇଛି ଦୀଲ୍ଲିରେ ଲାଲକିଲ୍ଲା, କେଉଁ ଉଦ୍ଦେଶ୍ୟରେ ହୋଇଥିଲା, କେଉଁ ପଥରରେ ଲାଲକିଲ୍ଲୀକୁ ନିର୍ମାଣ କରାଯାଇଥିଲା ଏସମସ୍ତ ପ୍ରଶ୍ନର ଚିତ୍ରକୁ ଦେଖାଇ ଉତ୍ତର ରଖୁଛନ୍ତି ଶିକ୍ଷକ । ଏହାସହିତ ଅବଗତ ହୋଇ ସ୍କୁଲକୁ ଆସି ପଢିବାକୁ ମନ ବଳାଉଛନ୍ତି ଆଦିବାସୀ ପିଲା । ଗ୍ରାମାଂଚଳରେ ଶିକ୍ଷାର ବିକାଶ କରିବା ପାଇଁ ମାଥିଲି ବ୍ଲକ କଲୋନୀ ପ୍ରାଥମିକ ଉଚ୍ଚ ବିଦ୍ୟାଲୟରେ ମାଥିଲି ପିଇଓ ଅଶୋକ ମହାରଣାଙ୍କ ତରଫରୁ ହୋଇଥିବା ଏହି ସ୍ୱତନ୍ତ୍ର ଉଦ୍ୟମକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି । ପିଲାଙ୍କ କଥା ଛାଡନ୍ତୁ , ଲାଲକିଲ୍ଲାର ଚିତ୍ରକୁ ଦେଖିବାକୁ କେବେ କେବେ ଅଭିଭାବକମାନେ ମଧ୍ୟ ବିଦ୍ୟାଳୟ ପରିସରକୁ ଚାଲି ଆସୁଛନ୍ତି । ଆଦିବାସୀ ଅଂଚଳରେ ଶିକ୍ଷାର ଗୁଣାତ୍ମକ ବଢାଇବାକୁ ପ୍ରଶାସନ ଭିନ୍ନ ଢଙ୍ଗରେ ବିଦ୍ୟାଳୟ କାନ୍ଥରେ ଚିତ୍ରଣ କରି ପିଲାମାନଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପ୍ରୟାସକୁ ସାଧାରଣରେ ପ୍ରଂଶସା କରାଯାଇଛି ।

 

ମାଲକାନଗିରି ଜିଲାରେ ଦିନକୁ ଦିନ ଏପରି ଭିନ୍ନ ଢଙ୍ଗର ଚିତ୍ରକୁ ବିଦ୍ୟାଳୟ କାନ୍ଥରେ ସ୍ଥାନ ଦେଇ ପିଲାଙ୍କ ଉପସ୍ଥାନ ବଢାଇବାରେ ପ୍ରୟାସ କରୁଛି ପ୍ରଶାସନ । ବିଦ୍ୟାଳୟରେ ଆଦିବାସୀ ପିଲାଙ୍କୁ ଆକୃଷ୍ଟ ଓ ଶିକ୍ଷାର ଗୁଣାତ୍ମକ ବଢାଇବାରେ ପ୍ରଶାସନ କେତେ ଦୂର ସଫଳ ହେଉଛି ତାହା ସମୟ ହିଁ କହିବ ।