କନକ ବ୍ୟୁରୋ: ଦେଶରେ ବୈବାହିକ ଦୁଷ୍କର୍ମ ଅପରାଧ ନା ନୁହେଁ ତାର ଫଇସଲା ଏବେ ସୁପ୍ରିମକୋର୍ଟ କରିବେ । ବୈବାହିକ ଦୁଷ୍କର୍ମକୁ ନେଇ କିଛି ଦିଆଯାଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହା ବାଦ ବୈବାହିକ ଦୁଷ୍କର୍ମକୁ ଆଇପିସିର ଧାରା ୩୭୫ରେ ସାମିଲ ନକରିବା ପାଇଁ ସୁପ୍ରିମକୋର୍ଟରେ ଅନେକ ଜଣ ଆବେଦନ କରିଛନ୍ତି । ନମସ୍କାର ମୁଁ ଧର୍ମେନ୍ଦ୍ର ପ୍ରଧାନ ଆଜିର ଏହି ଭିଡିଓରେ ଜାଣିବା ବୈବାହିକ ଦୁଷ୍କର୍ମ କଣ? ଭାରତରେ ଏହାକୁ ନେଇ କଣ ନିୟମ ରହିଛି ।

Advertisment

ମ୍ୟାରିଟାଲ ରେପ୍ ବା ବୈବାହିକ ଦୁଷ୍କର୍ମର ଅର୍ଥ ହେଉଛି ସ୍ତ୍ରୀର ବିନା ଅନୁମତି ଶାରିରୀକ ସମ୍ପର୍କ ରଖିବା । ଏହାକୁ ଏକପ୍ରକାର ଘରୋଇ ହିଂସା ତଥା ଯୌନ ଉତ୍ପୀଡନ ବୋଲି ଗ୍ରହଣ କରାଯାଇଥାଏ । ଭାରତରେ ଆଇପିସିର ଧାରା ୩୭୫ (୨) ଅନୁସାରେ ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ଗ୍ରହଣ କରାଯାଇନାହିଁ । ତେବେ ଗତ କିଛି ବର୍ଷ ହେବ ଏହାକୁ ନେଇ ଅନେକ ବିବାଦ ଦେଖାଯାଇଛି । ଏହାକୁ ଅପରାଧ ଭାବେ ଗ୍ରହଣ କରିବାକୁ ଦାବି ହେଉଛି ।

କେନ୍ଦ୍ର ସରକାର କହିଛନ୍ତି କୌଣସି ଆଇନକୁ ଗ୍ରହଣ କରିବା ପୂର୍ବରୁ ଏହାକୁ ନେଇ ଅନେକ ଆଲୋଚନା କରାଯିବା ଦରକାର । କାହିଁକି ନା ଏହାର ଗଭୀର ପ୍ରଭାବ ସମାଜ ଉପରେ ପଡିଥାଏ । ଆଇପିସିର ଧାରା ୩୭୫ ଅନୁସାରେ ଜଣଙ୍କ ଅନୁମତି ବିନା, ମିଛ ପ୍ରତିଶ୍ରୁତି ଦେଇ ଏବଂ ୧୬ ବର୍ଷରୁ କମ ବୟସର ନାବାଳିକାଙ୍କ ସହ ତାଙ୍କ ସହମତି ବିନା ଶାରିରୀକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯାଏ । ତେବେ ଏ ସବୁ କଥା ବିବାହ କରିଥିବା ବ୍ୟକ୍ତିଙ୍କ ଉପରେ ଲାଗୁ ହୋଇନଥାଏ । ଅର୍ଥାତ ଭାରତରେ ଯଦି ସ୍ୱାମୀ ସ୍ତ୍ରୀର ସହମତି ବିନା ଶାରିରୀକ ସମ୍ପର୍କ ରଖିଥାଏ ଏବଂ ପତ୍ନୀର ବୟସ ୧୫ ବର୍ଷରୁ କମ ହୋଇନଥାଏ ତେବେ ତାକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ନାହିଁ ।

ଚଳିତ ବର୍ଷ ଦିଲ୍ଲୀ ହାଇକୋର୍ଟ ଏବଂ କର୍ଣ୍ଣାଟକ ହାଇକୋର୍ଟରେ ଏହାକୁ ନେଇ ଅନେକ ଆବେଦନ କରାଯାଇଥିଲା । ଯେଉଁଠି ଉଭୟ ଅଦାଲତ ଆଇପିସିର ଧାରା ୩୭୫କୁ ମାନିବାକୁ ପ୍ରସ୍ତୁତ ନଥିଲେ । କୋର୍ଟ ରାୟରେ କହିଥିଲେ ଯେ ଏହିଭଳି ଭାବେ ଯୌନ ଉତ୍ପୀଡନ ପାଇଁ ସ୍ୱାମୀଙ୍କୁ ଅଧିକାର ଦିଆଯାଇପାରିବ ନାହିଁ । ଏହା ଛଡା ଆଇପିସିର ଧାରା ୩୭୫ରୁ ଏହି ନିୟମକୁ ହଟାଇବା ପାଇଁ ଅନେକ ପ୍ରକାର ତର୍କ ଦିଆଯାଉଛି । ଯେମିତି ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ନମାନିବା ସମ୍ବିଧାନର ଅନୁତ୍ଥେଦ ୧୪, ୧୯, ୨୧ରେ ଦିଆଯାଉଥିବା ଅଧିକାର ବିରୋଧରେ ରହିଛି ।

ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ନମାନିବା । କୌଣସି ମହିଳାଙ୍କ ସହ ସମ୍ପର୍କ ପୂର୍ବରୁ ପ୍ରଥମେ ସହମତି ଦେବାର ଅଧିକାର ଛଡାଇନେଇଥାଏ । ଏହା ସହ ଆଇପିସିରେ ଏହି ପ୍ରାବଧାନ ସମ୍ବିଧାନ ଲାଗୁ ହେବା ପୂର୍ବରୁ ଯୋଡାଯାଇଥିଲା । ତେବେ ଏବେ ଏହା ଆଉ ଜୁରୁରୀ ନୁହେଁ ।

ସେପଟେ ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ନମାନିବା ପଛରେ ମଧ୍ୟ ୨ଟି ତର୍କ ରହିଛି । ପ୍ରଥମ, ଯେତେବେଳେ କୌଣସି ମହିଳା ବିବାହ କରିଥାଏ ତେବେ ସେ ଶାରିରୀକ ସମ୍ପର୍କ ରଖିବା ପାଇଁ ସ୍ଥାୟୀ ସହମତି ଦେଇଥାଏ । ଏଥିରୁ ସେ ହଟିବା କଥା ନୁହେଁ । ସେ ସ୍ୱାମୀର ସମ୍ପତ୍ତି ଭାବେ ଗ୍ରହଣୀୟ ହୋଇଥାଏ । ଦ୍ୱିତୀୟ, ମହିଳାଙ୍କ ଠାରୁ ଏହା ଆଶା କରାଯାଇଥାଏ ଯେ ସେ ନିଜର ସ୍ୱାମୀର ଯୌନ ଇଚ୍ଛାକୁ ପୂରଣ କରିବା ପାଇଁ ବାଧ୍ୟ ଅଟେ ।

ଭାରତ ବିଶ୍ୱର ସେହି ୪୯ ଦେଶରେ ସାମିଲ ରହିଛି ଯେଉଁଠାରେ ସ୍ତ୍ରୀଙ୍କୁ ଦୁଷ୍କର୍ମ କରୁଥିବା ସ୍ୱାମୀଙ୍କୁ ସମାଜ ସହ ଆଇନ ବି ଦୋଷୀ ମାନିନଥାଏ । ଏହି କାରଣରୁ କେନ୍ଦ୍ର ସରକାର ବି ଏହି ପ୍ରସଙ୍ଗକୁ ଗମ୍ଭୀର ଭାବେ ନେଉନାହିଁ ।