ହିଂସାକାଣ୍ଡ ନେଇ ପ୍ରଚାର ପରେ ପଶ୍ଚିମ ଦିଲ୍ଲୀରେ ଖେଳିଗଲା ଆତଙ୍କ । ବନ୍ଦ ହେଲା ଦୋକାନ ବଜାର, ଘର ମୁହାଁ ହେଲେ ଲୋକେ, ସେପଟେ ହିଂସାକାଣ୍ଡକୁ ଗୁଜବ କହିଲା ଦିଲ୍ଲୀ ପୁଲିସ

200

କନକ ବ୍ୟୁରୋ : ପଶ୍ଚିମ ଦିଲ୍ଲୀରେ ହିଂସାକାଣ୍ଡ ଖବର ପ୍ରଚାର ପରେ ରବିବାର ରାତିରେ ଆତଙ୍କ ଖେଳିଯାଇଥିଲା । ସୋସିଆଲ ମିଡିଆରେ ହିଂସାର ଖବର ପ୍ରଚାର ପରେ ତିଲକନଗର, ହରିନଗର, ସୁବାସ ନଗର, ଦ୍ୱାରକା, ଜନକପୁରୀ ସମେତ ପଶ୍ଚିମ ଦିଲ୍ଲୀରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଖୟାଲ-ରଘୁବୀର-ନଗରରେ ହିଂସା ଖବର ପ୍ରଚାର ପରେ ପଶ୍ଚିମ ଦିଲ୍ଲୀର ଦୋକାନ ବଜାର ବନ୍ଦ ହୋଇଯାଇଥିଲା । ଲୋକେ ଘରକୁ ତର ତରରେ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା ।

ଏପରିକି ଦିଲ୍ଲୀର ୭ଟି ମେଟ୍ରୋ ଷ୍ଟେସନ ବନ୍ଦ ହୋଇଯାଇ କିଛି ସମୟ ପରେ ପୁଣି ଖୋଲିଥିଲା । ତେବେ ଏହାକୁ ଗୁଜବ କହି ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛି ଦିଲ୍ଲୀ ପୁଲିସ । ରବିବାର ଦିଲ୍ଲୀର କୌଣସି ସ୍ଥାନରେ ହିଂସା ହୋଇନଥିବା ପୁଲିସ ସ୍ପଷ୍ଟ କରିଛି । କୌଣସି ଗୁଜବ କଥା ଉପରେ ବିଶ୍ୱାସ ନ କରିବାକୁ ଅପିଲ କରିବା ସହ ସୋସିଆଲ ମିଡିଆ ଉପରେ ତୀକ୍ଷଣ ନଜର ରଖିଛି । ଏଥିସହ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୁଲିସ