କନକ ବ୍ୟୁରୋ: ଦିଲ୍ଲୀରେ ଗତ କିଛି ଦିନ ହେବ ଯମୁନା ବିକଟାଳ ରୂପ ନେଇଛି । ତେବେ ଧିରେ ଧିରେ ଏହାର ଜଳସ୍ତର କମିବାରେ ଲାଗିଛି । ଗୁରୁବାର ଯମୁନା ନଦୀର ଜଳସ୍ତର ରେକର୍ଡ ୨୦୮.୬୬ ମିଟର ଉପରେ ପ୍ରବାହିତ ହେଉଥିଲା । ରବିବାର ଏହି ସ୍ତର ୨୦୬.୧୫ମିଟରରେ ପହଞ୍ଚିଛି । ଜଳସ୍ତର କମିଥିଲେ ବି ଦିଲ୍ଲୀର ସଡକରେ ପାଣି କମିବାକୁ ନାଁ ନେଉନାହିଁ ।

Advertisment

ଯମୁନା ନଦୀରେ ତିଆରି ହୋଇଥିବା ବ୍ୟାରେଜର ଗେଟ ଜାମ ହେବା ସହ ରାତିରେ ହୋଇଥିବା ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହିଯାଇଥିଲା । ଏହି ସମୟ ମଧ୍ୟରେ ରାଜଘାଟ ଏବଂ ଦିଲ୍ଲୀର ସବୁଠାରୁ ବ୍ୟସ୍ତ ବହୁଳ ଛକ ଆଇଟିଓର ଆଖପାଖରେ ଥିବା ସଡକରେ ପାଣି ଜମିରହିଥିଲା । ଏଥିପାଇଁ ଲୋକଙ୍କ ଯିବା ଆସିବାରେ ଅନେକ ସମସ୍ୟା ଦେଖାଯାଇଥିଲା । ଭାରତୀୟ ସେନା ଶୁକ୍ରବାର ବ୍ୟାରେଜର ଗୋଟିଏ କବାଟ ଖୋଲିବାରେ ସଫଳ ହୋଇଥିବା ବେଳେ ୩୨ଟି ଗେଟରୁ ୪ ଗେଟରେ ଜାମ ଲାଗିରହିଛି ।

ସେହିପରି ସୁପ୍ରିମକୋର୍ଟ ପାଖରେ ଗୋଟିଏ ଡ୍ରେନ ଭାଙ୍ଗିବା କାରଣରୁ ଅଧିକାରୀମାନେ ଦୁଇ ଦିନ ଧରି ଅନେକ ସମସ୍ୟାର ସାମ୍ନା କରିଥିଲେ । ଏହି କାରଣରୁ ସୁପ୍ରିମକୋର୍ଟ ଏବଂ ରାଜଘାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେନା ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏହି ଫାଟକୁ ଠିକ କରିଛନ୍ତି । ତେବେ ଶନିବାର ହୋଇଥିବା ବର୍ଷା ପରେ ସହର ଭିତରେ ପାଣି ଜମିରହିଥିଲା ।