କନକ ବ୍ୟୁରୋ : ଦିଲ୍ଲୀରେ ଯୁବତୀଙ୍କୁ ୧୨ କିଲୋମିଟର କାର୍ ଘୋଷାଡି ନେବା ଘଟଣାକୁ ନେଇ ଦେଶବ୍ୟାପୀ ଆଲୋଡନ । ଏହି ମାମଲାରେ ପୁଲିସ ଆଜି ସିନ ରିକ୍ରିଏସନ କରିବ । ଗିରଫ ୫ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କେଉଁଠି କେମିତି ଏହି ଘଟଣା ଘଟିଥିଲା ତାର ସିନ ରିକ୍ରିଏସନ କରିବ ପୁଲିସ । ସେପଟେ ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ତୁରନ୍ତ ଏହି ଘଟଣାରେ ରିପୋର୍ଟ ଦେବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ବରିଷ୍ଠ ପୋଲିସ ଅଧିକାରୀ ଶାଳିନୀ ସିଂହଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି ।

Advertisment

ଯଥାଶୀଘ୍ର ଏହି ମାମଲାର ତଦନ୍ତ କରି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଶାଳିନୀ ସିଂହଙ୍କୁ ତଦନ୍ତ ଭାର ଦିଆଯିବା ପରେ ସେ ଗତ ରାତିରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଘଟଣାସ୍ଥଳକୁ ଯାଇ ପୋଲିସ ଅଧିକାରୀଙ୍କ ସହ ଘଟଣା ନେଇ ସେ ଆଲୋଚନା କରିଛନ୍ତି । ଦିଲ୍ଲୀରେ ନୂଆବର୍ଷ ଭୋର ସମୟରେ ଅତି ଭୟଙ୍କର ଘଟଣା ଘଟିଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ କାରରେ ଘୋଷାଡ଼ି ଘୋଷାଡ଼ି ୧୨ କିଲୋମିଟର ଯାଏଁ ଟାଣି ନେବା ଭଳି ଏକ ବିଭତ୍ସ ଘଟଣା ସାମ୍ନାକୁ ଆସିଛି । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯେତେବେଳେ ସାରା ଦେଶ ଉତ୍ସବ ମନାଉଥିଲା, ସେତେବେଳେ ଦିଲ୍ଲୀ ରାସ୍ତାରେ ଘଟିଛି ଏହି ଘଟଣା ।